ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ନିର୍ମିତ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ଚତୁର୍ଥ ଏବଂ ପଞ୍ଚମ ଖଣ୍ଡକୁ ଉନ୍ମୋଚନ କରିଛନ୍ତି। ଜୁନ୍ ୨୦୨୨ରୁ ମେ ୨୦୨୩ ଏବଂ ଜୁନ୍ ୨୦୨୩ରୁ ମେ ୨୦୨୪ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଭାଷଣ ସବୁ ଏଥିରେ ସ୍ଥାନ ପାଇଛି। ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ଶୀର୍ଷକ ଏହି ସଂକଳନଗୁଡ଼ିକ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ହୋଇଛି। ଏହି ଅବସରରେ ଉପରାଷ୍ଟ୍ରପତି କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଆତ୍ମନିର୍ଭର ଭାରତର ସଂକଳ୍ପ ଦେଶକୁ ପ୍ରତିରକ୍ଷା, ମହାକାଶ, ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ ବିକାଶର ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିଛି। ଏକ ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ମଧ୍ୟ ନିର୍ମିତ ହୋଇଥାଏ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ମାତୃଭାଷାରେ ଗୁଣାତ୍ମକ ଶିକ୍ଷା, ସ୍ୱଚ୍ଛ ପାନୀୟ ଜଳ, ପରିମଳ, ସୁଗମ ସ୍ୱାସ୍ଥ୍ୟସେବା, ଦାରିଦ୍ର୍ୟ ଦୂରୀକରଣ, ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ କାର୍ଯ୍ୟ ୧୪୦ କୋଟି ଭାରତୀୟଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନର ଏକ ଶକ୍ତିଶାଳୀ ଉପକରଣ ବୋଲି ଉପରାଷ୍ଟ୍ରପତି ଆଲୋକପାତ କରି କହିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକୁଳି ଆସି ସମ୍ମାନର ସହିତ ଜୀବନଯାପନ କରିବାରେ ସକ୍ଷମ କରିଛି। ଯେତେବେଳେ କୌଣସି ଘରେ ଶୌଚାଳୟ ନିର୍ମାଣ କରାଯାଏ, ଏହା ପରିବାରର ସମସ୍ତଙ୍କ ପାଇଁ ମର୍ଯ୍ୟାଦା ସୁନିଶ୍ଚିତ କରେ । ଉପରାଷ୍ଟ୍ରପତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏହାର ଗଣମାଧ୍ୟମ ବିଭାଗ ପ୍ରକାଶନ ଡିଭିଜନ ଦଳକୁ ଏହି ପ୍ରକାଶନ ପାଇଁ ଅଭିନନ୍ଦନ ଜଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button