ଆସାମ ଓ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ଜାରି

ନୂଆଦିଲ୍ଲୀ: ଆଜି ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣରେ ପୂର୍ବାହ୍ନ ୧୦ଟା ସୁଦ୍ଧା ଯଥାକ୍ରମେ ୧୦.୨୧% ଓ ୧୫.୩୦% ମତଦାନ ହୋଇଥିବା ଭାରତର ନିର୍ବାଚନ କମିସନ୍ରୁ ସୂଚନା ମିଳିଛି। ଏଯାବତ୍ ପଶ୍ଚିମବଙ୍ଗରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଥିଲେ ସୁଦ୍ଧା କେତେକ ପ୍ରସଙ୍ଗରେ ଆପତ୍ତି ଜଣାଇବାକୁ ତୃଣମୂଳ କଂଗ୍ରେସ ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ଆଜି ମଧ୍ୟାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବେ। ସେହିଭଳି, କେତେକ ସ୍ଥାନରେ ବିଜେପି ବୁଥ୍ ଜବରଦଖଲ କରିଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି।
ବାଙ୍କୁଡ଼ାରେ ପୁଲିସ ଭୋଟର୍ମାନଙ୍କୁ ବାଡ଼ିଆପିଟା କରିଥିବା କଥା ମଧ୍ୟ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଏହାଛଡ଼ା, ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ସତସାତମଲ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଡିୟୁଟିରେ ଥିବା ଦୁଇଜଣ ନିରାପତ୍ତା କର୍ମଚାରୀ ଗୁଳି ଚୋଟରେ ଆହତ ହୋଇଛନ୍ତି।