ପୁଣି ୨ ଶିଶୁ ଏଚ୍‌ଏମ୍‌ପିଭି ସଂକ୍ରମିତ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଏବେ ହ୍ୟୁମାନ୍ ମେଟାନ୍ୟୁମୋ ଭୂତାଣୁ (ଏଚ୍‌ଏମ୍‌ପିଭି) ସଂକ୍ରମଣଜନିତ ମାମଲା ନିରନ୍ତର ବୃଦ୍ଧିପାଇବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ଦେଶରେ ଏବେ ମୋଟ୍ ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଶୁକ୍ରବାର ରାଜସ୍ଥାନ ଏବଂ ଗୁଜରାଟରୁ ଜଣେ ଲେଖାଏ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନର ବାରାଙ୍ଗ ଠାରେ ଏକ ୬ ମାସର ଶିଶୁକନ୍ୟା ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଗୁଜରାଟର ଅହମ୍ମଦାବାଦ ଠାରେ ଜଣେ ୯ମାସର ଶିଶୁକୁ ଏହି ଭୂତାଣୁ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି। ଦିନକପୂର୍ବରୁ ଅର୍ଥାତ୍ ଗୁରୁବାର ଦେଶରେ ୩ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ଜଣେ ୬୦ ବର୍ଷୀୟା ମହିଳା, ଗୁଜରାଟର ଅହମ୍ମଦାବାଦ୍ ଠାରେ ଜଣେ ୮୦ ବର୍ଷୀୟ ବୃଦ୍ଧ ଏବଂ ହିମ୍ମତନଗରରେ ଜଣେ ୭ବର୍ଷର ବାଳକ ସାମିଲ ଅଛନ୍ତି। ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଠାରୁ ଆରମ୍ଭ କରି ବିଶ୍ୱସ୍ତରର ବଡ଼ ବଡ଼ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ଭୂତାଣୁକୁ ନେଇ ଭୟଭୀତ ହେବାର କୌଣସି କାରଣ ନଥିବା କହିସାରିଛନ୍ତି, ତଥାପି କରୋନା ଭଳି ଲକ୍ଷଣ ରହୁଥିବା ଏହି ଭୂତାଣୁକୁ ନେଇ ଭାରତରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଅଧିକାଂଶ ରାଜ୍ୟ ସରକାର ନିଜ ହିସାବରେ ରାଜ୍ୟବାସୀଙ୍କ ପାଇଁ ସତର୍କତା ପାଳନ ପରିପ୍ରେକ୍ଷୀରେ ଗାଇଡ୍‌ଲାଇନ୍ ମଧ୍ୟ ଜାରି କରୁଛନ୍ତି। ରାଜସ୍ଥାନରେ ରାଜ୍ୟବାସୀଙ୍କୁ ଏବେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଗୁଜରାଟ ସରକାର ରାଜ୍ୟର ସମସ୍ତ ହସ୍ପିଟାଲରେ ଆଇସୋଲେସନ୍ ୱାଡ୍‌ର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ହରିଆଣାରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ଭୂତାଣୁଜନିତ ସଂକ୍ରମଣ ଏବଂ ସାମ୍ନାକୁ ଆସୁଥିବା ମାମଲା ଉପରେ ତୀକ୍ଷ୍ଣ ଦୃଷ୍ଟି ନିବଦ୍ଧ ରଖିଛି। ଅନ୍ୟ ର।।ଜ୍ୟଗୁଡ଼ିକ ମଧ୍ୟ ନିଜ ହିସାବରେ ପ୍ରସ୍ତୁତି ଜାରି ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରୁ ୨ଟି, ଗୁଜରାଟରୁ ୪ଟି, ପଶ୍ଚିମବଙ୍ଗରୁ ୧ଟି, ତାମିଲନାଡୁରୁ ୨ଟି, ନାଗପୁରରୁ ୨ଟି, ମୁମ୍ବାଇରୁ ୧ଟି, ଉତ୍ତରପ୍ରଦେଶରୁ ୧ଟି, ରାଜସ୍ଥାନରୁ ୧ଟି ଲେଖାଏ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଆକ୍ରାନ୍ତଙ୍କ ବୟସ ୨ମାସରୁ ୮ ବର୍ଷ ମଧ୍ୟରେ ରହିଥିବା ବେଳେ କେବଳ ୨ଟି ମାମଲା (୬୦ରୁ ୮୦ ବର୍ଷର ନାଗରିକ) ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button