କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା ପୋଲିସଙ୍କ ମାଡ ପ୍ରତିବାଦରେ ୫ ବିଧାୟକଙ୍କୁ ତାଲା ପକାଇଲେ କେନ୍ଦ୍ରାପଡା ସାମ୍ବାଦିକ

କେନ୍ଦ୍ରାପଡା : ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ | ଗତକାଲି କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା ପୋଲିସଙ୍କ ମାଡ ପ୍ରତିବାଦରେ ତାଲା ପକାଇଲେ କେନ୍ଦ୍ରାପଡ଼ା ସାମ୍ବାଦିକ |

ଜିଲ୍ଲାପାଳ ଅଫିସରେ ଆଜି ୫ ଜଣ ବିଧାୟକ ଭିତରେ ମିଟିଂ କରୁଥିବା ବେଳେ ବାହାରୁ ତାଲା ପକାଇଛନ୍ତି କେନ୍ଦ୍ରାପଡାର କାର୍ଯ୍ୟରତ ସାମ୍ବାଦିକ | ଗତକାଲି ସାମ୍ବାଦିକଙ୍କୁ ମହିଳା ପୋଲିସଙ୍କ ଚାପୁଡା ମାଡ ପ୍ରତିବାଦରେ ସାମ୍ବାଦିକ ମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ | ଚାପୁଡା ମାଡ ଘଟଣାକୁ ୨୪ ଘଣ୍ଟା ପୁରି ଯାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ସବୁ ଶୁଣି ଚୁପ ରହିଥିଲା | ସାମ୍ବାଦିକମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଉଥିବା ସମୟରେ ୫ ବିଧାୟକଙ୍କ ସହ ଜିଲ୍ଲାପାଳ ଆଲୋଚନା କରୁଥିବା ଜାଣିବା ପରେ ସେମାନଙ୍କୁ ଭିତର ପଟୁ ତାଲା ମାରିଥିଲେ ସାମ୍ବାଦିକ | ତେବେ ଏହି ଘଟଣା ପରେ ସାମ୍ବାଦିକ ସଂଘର ପ୍ରତିନିଧିଙ୍କୁ ଡାକି ଆଲୋଚନା କରାଯିବା ସହ ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ |

ସୂଚନା ଅନୁଯାୟୀ, ଗତକାଲି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ଚାପୁଡା ମାରିଥିଲେ ମହିଳା ପୋଲିସ | ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ଦ୍ୱାରା ସାମ୍ନାକୁ ଆସିଥିଲା | ଖାଲି ସେତିକି ନୁହେଁ ସାମ୍ବାଦିକ ଜଣଙ୍କ ନିଜକୁ ସାମ୍ବାଦିକର ପରିଚୟ ଦେବା ପରେ ବି ଚାପୁଡା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସୀମା ଲଂଘିଥିଲେ ମହିଳା ପୋଲିସ ଜଣଙ୍କ | କରୋନା ମହାମାରୀ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମସ୍ତ ଜିଲ୍ଲା ପ୍ରତିନିଧି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସଚେତନ କରୁଥିଲେ ମଧ୍ୟ ଏହି ମହିଳା ପୋଲିସ ବିନା ମାସ୍କରେ ବୁଲୁଥିଲେ | ଯାହାକୁ ଦେଖି ସାମ୍ବାଦିକ ଜଣଙ୍କ ମହିଳା ପୋଲିସଙ୍କ ଫଟୋ ପୋଷ୍ଟ କରିବାରୁ ଆକ୍ରୋଶମୂଳକ ଭାବେ ତାଙ୍କୁ ମାଡ ମରାଯାଇଛି ବୋଲି ମାଡ ଖାଇଥିବା ସାମ୍ବାଦିକ କହିଛନ୍ତି | ଜିଲ୍ଲାର ସାମ୍ବାଦିକଙ୍କ ଅଭିଯୋଗ ଯେ, ପୋଲିସ ବିରୋଧରେ କୌଣସି ଖବର ପ୍ରସାରଣ କଲେ ତାଙ୍କୁ ଟାର୍ଗେଟ କରାଯାଉଛି |

Related Articles

Leave a Reply

Your email address will not be published.

Back to top button