ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୨୫ ର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ପାଇଁ ୫୪୫ କୋଟି ଟଙ୍କା ମୂଲ୍ୟର ୮୬ ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୨୪ କୋଟି ଟଙ୍କା ମୂଲ୍ୟର ୧୬ ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୫୨୧ କୋଟି ଟଙ୍କା ମୂଲ୍ୟର ୭୦ ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ସବୁ ପ୍ରକଳ୍ପ ମଧ୍ୟରେ ଜଳସେଚନ, ସ୍ୱାସ୍ଥ୍ୟସେବା କେନ୍ଦ୍ର, କ୍ଷୁଦ୍ର ଶିଳ୍ପ, ଅର୍ବାନ ହଷ୍ଟେଲ, ବ୍ରିଜ, ରୋଡ଼, ମିଶନ ଶକ୍ତି ଭବନ, ବନ ସୁରକ୍ଷା ସମିତି ବିଲ୍ଡିଂ, ଅତିରିକ୍ତ ଶ୍ରେଣୀ ଗୃହ ଆଦି ଅନେକ ପ୍ରକଳ୍ପ ରହିଛି । ଏହି ସବୁ ପ୍ରକଳ୍ପ ଗୁଡିକ କୋରାପୁଟର ବିକାଶକୁ ଆଗେଇ ନେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମଞ୍ଚରେ ଆୟୋଜିତ ଏହି ୫ ଦିନିଆ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ଶହିଦ ଲକ୍ଷ୍ମଣ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଥିଲେ ଯେ ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲା ପ୍ରକୃତିର ଅନନ୍ୟ ବରଦାନ ଭାବେ ସାରା ବିଶ୍ଵରେ ପରିଚିତ। କୋରାପୁଟ ମାଟି ସମାଜରେ ଶାନ୍ତି, ସରଳତା ଓ ଭଲପାଇବାର ମହକ ବାଣ୍ଟି ଥାଏ । କୋରାପୁଟ ମାଟିର ଉତ୍ପାଦିତ କଫି, କଳା ଜୀରା ଧାନ ଏବଂ କୋଟପାଡ଼ର ଶାଢୀ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶ ବିଦେଶରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ ।



