ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ନେଇ ବିଧାନସଭାରେ ଉତ୍ତର ରଖିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଘଟିଥିବା ନେଇ ବିଧାନସଭାରେ ସରକାର ସ୍ୱୀକାର କରିଛନ୍ତି। ବିଧାୟକ ପ୍ରକାଶ ଶୋରେନ୍ଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଣାଇଛନ୍ତି ଯେ, ରାଜ୍ୟରେ ଡାଲି, ଖାଇବା ତେଲ ଏବଂ ପିଆଜ ଭଳି ନିତ୍ୟ ଆବଶ୍ୟକୀୟ ଜିନିଷର ଦରରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଦରବୃଦ୍ଧିର କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ସର୍ବଭାରତୀୟ ପରିସ୍ଥିତି। ଆନ୍ତର୍ଜାତୀୟ ବଜାରରେ ଦରଦାମର ପରିବର୍ତ୍ତନ ଏବଂ ପ୍ରମୁଖ ଯୋଗାଣ ପେଣ୍ଠଗୁଡ଼ିକରେ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ଏହାର ପ୍ରତ୍ୟକ୍ଷ ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ୁଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖି କହିଛନ୍ତି ଯେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ଖାଇବା ତେଲ, ପିଆଜ ଓ ଚିନି ଦର ଅଧିକ ରହିଛି। ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ସର୍ବଭାରତୀୟ ହାର ତୁଳନାରେ ଓଡ଼ିଶାରେ ଖାଇବା ତେଲ ଦର ୨.୫ ରୁ ୪ ପ୍ରତିଶତ ଅଧିକ ରହିଥିବା ବେଳେ ପିଆଜ ଦର ୪.୯୬ ପ୍ରତିଶତ ଅଧିକ ରହିଛି। ସେହିପରି ଚିନି ଦର ମଧ୍ୟ ସର୍ବଭାରତୀୟ ହାରଠାରୁ ୦.୪୮ ପ୍ରତିଶତ ଅଧିକ ରହିଥିବା ମନ୍ତ୍ରୀ ନିଜ ଉତ୍ତରରେ ଦର୍ଶାଇଛନ୍ତି।



