ବିକଶିତ ଓଡ଼ିଶା-ଭାରତ ଗଠନ ଲକ୍ଷ୍ୟ ସହ ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟିତ

କଟକ: ଇତିହାସକୁ ପର୍ବ ଭାବରେ ପାଳନ କରିବା ଆମର ଅନନ୍ୟ ପରମ୍ପରା। ସାତସମୁଦ୍ର ତେର ନଈ ପାର ହୋଇ ସାଧବମାନେ ବ୍ୟବସାୟ କରିବାକୁ ଯାଉଥିଲେ କହିବା ସହଜ, ମାତ୍ର ବାସ୍ତବରେ ତାହା ଅତ୍ୟନ୍ତ କଷ୍ଟକର ଥିଲା। ସାଧବମାନେ ବହୁ ସାହସୀ ଥିଲେ ଏବଂ ଅତୀତର ସେହି ପ୍ରେରଣାକୁ ନେଇ ଆମେ ଭବିଷ୍ୟତ ଗଢ଼ିବା ଉଚିତ। ବିକଶିତ ଓଡ଼ିଶା ସହିତ ବିକଶିତ ଭାରତ ଗଠନ ଆମର ମୂଳ ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ପ୍ରଥମଥର ପାଇଁ ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଲେ ଯେ, ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରରେ ଅନୁଷ୍ଠିତ ହେଉଥିବା ଏହି ବାଲିଯାତ୍ରା ବିଶ୍ୱବିଦିତ ହେବା ଦରକାର। ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଦେଖାଦେଇଥିଲେ ମଧ୍ୟ ଭାରତର ଅର୍ଥବ୍ୟବସ୍ଥା ସ୍ଥିର ରହିଛି ଏବଂ ପୁଞ୍ଜିନିବେଶକାରୀମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି, ଯାହାକି ଏକ ଶୁଭ ସଙ୍କେତ। ବନ୍ଦର ବିନା ବେପାର ସମ୍ଭବ ନୁହେଁ ଏବଂ ଓଡ଼ିଶା ଉପକୂଳରେ ପାରାଦ୍ୱୀପ ବନ୍ଦର ଦେଶର ଏକ ଅଗ୍ରଣୀ ବନ୍ଦର ଭାବେ ପରିଗଣିତ ହେଉଛି। ଆମ ପୁଅଝିଅମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ରାଜ୍ୟରେ ଥିବା କାରୁକାର୍ଯ୍ୟ ଓ ଶିଳ୍ପକୁ ଆହୁରି ଉତ୍କୃଷ୍ଟ କରାଗଲେ ଶିଳ୍ପ ପ୍ରତିଷ୍ଠାରେ ଓଡ଼ିଶା ବିଶ୍ୱରେ ଖ୍ୟାତି ଅର୍ଜନ କରିବ। ଉତ୍କଳ ଗୌରବ ମଧୁବାବୁଙ୍କ କଥା ଅବତାରଣା କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ମଧୁବାବୁଙ୍କ ଚିନ୍ତାଧାରାରେ ମୌଳିକତା ଥିଲା, ଯାହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ସବୁଠାରୁ ବଡ଼ ଉଦାହରଣ। ଓଡ଼ିଶାର ଉତ୍ପାଦଗୁଡ଼ିକର ନିଜସ୍ୱ ପରିଚିତି ରହିଛି ଏବଂ ଏହା ଯୁବପିଢ଼ିଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେଇଛି। ସୁଦୂର ବାଲି ସହ ସମ୍ପର୍କ ଯୋଡ଼ିବାକୁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ସେ କହିଲେ ଯେ, ଏହାଦ୍ୱାରା ଆନ୍ତର୍ଜାତିକ ଓ ସାଂସ୍କୃତିକ ସମ୍ପର୍କ ଅଧିକ ଘନିଷ୍ଠ ହେବ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ବାଲି ସହ ସମ୍ପର୍କ ବିଷୟରେ ଅଧିକ ଗବେଷଣା କରି ନୂତନ ତଥ୍ୟ ଉନ୍ମୋଚନ କରିବାକୁ ସେ ଗବେଷକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହ ପରିବେଶ ଓ ନଦୀକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ ବୋଲି କହିବା ସହ ମେଳା ସରିବା ପରେ ଯେପରି ଏଠାରେ ଅଳିଆ ଆବର୍ଜନା ନ ରହେ, ସେଥିପ୍ରତି ଧ୍ୟାନ ଦେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ରିମୋଟ୍ ବଟନ୍ ଦବାଇ କଟକ ବାଲିଯାତ୍ରାର ଶୁଭ ଉଦ୍ଘାଟନ କରିଥିଲେ।



