୧୭ ଜିଲ୍ଲାରେ ୨୧ରୁ ଡିଏଲ୍‌ ଟେଷ୍ଟ୍‌

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି କାଗଜପତ୍ର ବୈଧତା

ଭୁବନେଶ୍ବର: କୋରୋନା ମହାମାରୀଜନିତ କଟକଣା ଯୋଗୁ ପୁଣିଥରେ ଗାଡ଼ି ସମ୍ପର୍କିତ କାଗଜପତ୍ରର ବୈଧତା ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପରିବହନ ସମ୍ପର୍କିତ ସେବା ଆହରଣ କରୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ଅନୁରୋଧ ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପର୍‌ମିଟ୍‌, ଆର୍‌ସି, ଫିଟ୍‌ନେସ୍‌ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୈଧ ରଖିଛନ୍ତି। ସେହିପରି ପରିବହନ ସଂକ୍ରାନ୍ତ ପଞ୍ଜୀକରଣ, ଲର୍ଣ୍ଣିଂ ଲାଇସେନ୍‌ସ(ଏଲ୍‌ଏଲ୍‌) ଡ୍ରାଇଭିଂ ଟେଷ୍ଟ ପାଇଁ ନୂଆ ନିର୍ଦେଶନାମା ଜାରି କରିଛନ୍ତି।

ଆଗରୁ ଫିଟନେସ୍‌, ସମସ୍ତ ପ୍ରକାର ପରମିଟ୍, ଲାଇସେନ୍ସ, ପଞ୍ଜୀକରଣ ଓ ଅନ୍ୟାନ୍ୟ ସମ୍ପର୍କୀତ ନଥିପତ୍ର ଇତ୍ୟାଦି ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ପରାମର୍ଶ ଦିଆଯାଇଥିଲା। ଯେଉଁ କାଗଜପତ୍ରର ବୈଧତା ଫେବ୍ରୁୟାରୀ ପହିଲା ୨୦୨୦ରେ ସମାପ୍ତ ହୋଇଛି ବା ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ଅଛି ସେ ସମସ୍ତ କାଗଜପତ୍ର ପ୍ରତି ଏହା ଲାଗୁ ହେବ। ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଏ ସମସ୍ତ କାଗଜପତ୍ରର ବୈଧତା ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିଛି ବୋଲି ନିର୍ଦେଶ ଦିଆଯାଇଛି। ଗାଡ଼ିଗୁଡ଼ିକର ଫିଟନେସ୍‌ ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସ , ଲର୍ଣ୍ଣିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌, ସମେତ ମାଲ ପରିବହନ କରୁଥିବା ଗାଡ଼ି, ଘରୋଇ ସେବା ଯୋଗାଉଥିବା ଗାଡ଼ି ଓ ଶିକ୍ଷାନୁଷ୍ଠାନର ବସ୍‌ର ପରମିଟ୍ ବୈଧତାକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଗାଡ଼ିର ବୀମା, ପଲ୍ୟୁସନ୍ ଓ ସାମୟିକ ପରମିଟ୍ ପାଇଁ ଏହି ବୈଧତା କୋହଳ ଲାଗୁ ହେବ ନାହିଁ।

ଅନ୍ୟପକ୍ଷରେ କୋରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି। ବରଗଡ଼, ବୌଦ୍ଧ, ବଲାଙ୍ଗିର, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଆର୍‌ଟିଓ ପକ୍ଷରୁ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ୍‌ ଆରମ୍ଭ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଅନୁମତି ଦେଇଛି। ଆସନ୍ତା ୨୧ ତାରିଖ ସକାଳ ୧୧ଟା ପରଠାରୁ ଏଥିପାଇଁ ସ୍ଲଟ୍‌ ବୁକିଂ ଓ ୨୨ରୁ ଟେଷ୍ଟ ଆରମ୍ଭ କରାଯିବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏ ସ୍ଲଟ୍‌ ବୁକିଂ ହେବ। ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ଆବେଦନକାରୀ ହିଁ କେବଳ ଟେଷ୍ଟ୍‌ ପାଇଁ ସ୍ଲଟ୍‌ ବୁକିଂ କରିପାରିବେ। ଏଥିସହିତ ଡିଏଲ୍‌ ନବୀକରଣ ପାଇଁ ମଧ୍ୟ ଅନୁମତି ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button