ମହିଳାଙ୍କୁ ଅପମାନ କରିବା କଂଗ୍ରେସ-ଡିଏମ୍‌କେର ସଂସ୍କୃତି: ମୋଦୀ

କୋଏମ୍ବାଟୁର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀଙ୍କ ଜନ୍ମ ଉପରେ ନକାରାତ୍ମକ ଟିପ୍ପଣୀ ଦେଇ ତାଙ୍କ ମାଆଙ୍କୁ ଅପମାନିତ କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଏମ୍‌କେ ନେତା ଏ ରାଜାଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ଜବାବ ଦେଇଛନ୍ତି। ଧରମପୁରମ୍‌ଠାରେ ଏକ ନିର୍ବାଚନୀ ସଭାରେ ମୋଦୀ ରାଜାଙ୍କ ନାଁ ନ ନେଇ ତାଙ୍କୁ ପରୋକ୍ଷରେ ଏକ ସମୟ ଅତିକ୍ରାନ୍ତ ଟୁଜି କ୍ଷେପଣାସ୍ତ୍ର ବୋଲି କହିଛନ୍ତି। ଅତୀତରେ ଟୁଜି ସ୍ପେକ୍ଟ୍ରମ୍‌ ଦୁର୍ନୀତିରେ ଛନ୍ଦିହୋଇ ପଡ଼ିଥିବା ରାଜାଙ୍କୁ ମୋଦୀ ଏପରି ସମାଲୋଚନା କରିବା ସହ ତାମିଲନାଡୁର ନାରୀଶକ୍ତିକୁ ଅପମାନିତ କରିବା ପାଇଁ କଂଗ୍ରେସ ଓ ଡିଏମ୍‌କେ ମେଣ୍ଟ କିଛି ଦିନ ତଳେ ଏହି କ୍ଷେପଣାସ୍ତ୍ରକୁ ବାଛିଛନ୍ତି ବୋଲି କହିଛନ୍ତି। ତେବେ ମହିଳାମାନଙ୍କୁ ଅପମାନ କରିବା କଂଗ୍ରେସ-ଡିଏମ୍‌କେ ସଂସ୍କୃତିର ଅଂଶବିଶେଷ ବୋଲି ସେ ଆକ୍ଷେପ କରିଛନ୍ତି। ଅନ୍ୟ ଏକ ଘଟଣାରେ ମୋଦୀଙ୍କ ତାମିଲନାଡୁ ଗସ୍ତକୁ ବିରୋଧ କରି କୋଏମ୍ବାଟୁରରେ ୧୦ ମହିଳାଙ୍କ ସମେତ ୬୦ ଜଣ ଗିରଫ ହୋଇଛନ୍ତି। ଜାତିସଂଘରେ ଯୁଦ୍ଧ ଅପରାଧ ଆଲୋଚନାରେ ଶ୍ରୀଲଙ୍କାକୁ ଭାରତ ସରକାର ବିରୋଧ କରି ନ ଥିବା ପରିପ୍ରେକ୍ଷୀରେ ଏହି ଆନ୍ଦୋଳନକାରୀମାନେ ‘ତାମିଲ ବିରୋଧୀ ମୋଦୀ ଫେରିଯାଅ’ ବୋଲି ପ୍ଲାକାର୍ଡ ସହ କଳାପତାକା ଧରି ରାସ୍ତା ଅବରୋଧ କରିଥିଲେ।

Related Articles

Leave a Reply

Your email address will not be published.

Back to top button