କରୋନା ଲଢ଼େଇ ପାଇଁ ୨ କୋଟି ଦେଲେ ବିରୁ‌ଷ୍କା

ନୂଆଦିଲ୍ଲୀ : ଭାରତରେ କରୋନା ଲଢ଼େଇ ଲାଗି ଅର୍ଥ ଯୋଗାଡ଼ କରୁଥିବା ଏକ ପ୍ରକଳ୍ପକୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ୨‌‌ କୋଟି ଟଙ୍କା ଦାନ କରିଛନ୍ତି। ଉଭୟ କେଟୋ ନାମରେ ହୋଇଥିବା ଏହି ପ୍ରକଳ୍ପ ମାଧ୍ୟ‌ମରେ ୭ କୋଟି ଟଙ୍କା ଯୋଗାଡ଼ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ‘‘ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଭାରତରେ କୋଭିଡ ରିଲିଫ୍‌ ପାଇଁ ୭ କୋଟି ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏସିଟି ଗ୍ରାଣ୍ଟସ ସଂସ୍ଥା ଦ୍ବାରା ‌ହୋଇଥିବା ଅର୍ଥ ଯୋଗାଡ଼ ପ୍ଲାଟଫର୍ମ କେଟୋକୁ ସେମାନେ ୨ କୋଟି ଟଙ୍କା ପ୍ରଦାନ କରି ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି’’ ବୋଲି ଏହି ସେଲିବ୍ରିଟ ଦମ୍ପତିଙ୍କ ଦ୍ବାରା ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ଅଭିଯାନ ୭ ଦିନ ଧରି କେଟୋରେ ଚାଲିବ। ଯୋଗାଡ଼ ହୋଇଥିବା ଅର୍ଥ ଏସିଟି ମାଧ୍ୟମରେ ଅମ୍ଳଜାନ, ଡାକ୍ତରୀ ସୁବିଧା, ଟିକାକରଣ ସଚେତନତା ଏବଂ ଟେଲି‌ ମେଡିସିନ୍‌ ସୁବିଧା ‌ଯୋଗାଇବାରେ ଖର୍ଚ୍ଚ କରାଯିବ। ‘‘ଏହି ମାହାମାରୀ ‌ଯୋଗୁଁ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଆମେ ସର୍ବଦା ଚେଷ୍ଟା କରିଅସିଛୁ। ଏହି ପ୍ରକଳ୍ପ ମାଧ୍ୟରେ ଅଧିକ ପାଣ୍ଠି ଯୋଗାଡ଼ କରି ଲୋକମାନଙ୍କୁ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛୁ’’ ବୋଲି କୋହଲି କହିଛନ୍ତି। ‘‘ବିରାଟ ଓ ଅନୁଷ୍କାଙ୍କ ଭଳି ତାରକାଙ୍କ ଦୃଢ଼ ସ୍ବର ଅଧିକ ଅର୍ଥ ଯୋଗାଡ଼‌ କରିବାରେ ଆମକୁ ସହଯୋଗ କରିବ’’ ବୋଲି ଏସିଟି ଗ୍ରାଣ୍ଟ୍‌ସର ପ୍ରବକ୍ତା ଗାୟତ୍ରୀ ଯାଦବ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button