ଓଡ଼ିଶାର ୩ ଜିଲ୍ଲାରେ ସୁନା ଖଣି ସନ୍ଧାନ: ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

ଭୁବନେଶ୍ୱର: ରାଜ୍ୟରେ ତିନି ଜିଲ୍ଲାରେ ସୁନାଖଣିର ସନ୍ଧାନମିଳିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଭାରତୀୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ଭେକ୍ଷଣ ସଂସ୍ଥା (ଜିଏସ୍‌ଆଇ) ଦ୍ୱାରା ହୋଇଥିବା ପ୍ରାରମ୍ଭିକ ସର୍ଭେରୁ ତାହା ସ୍ପଷ୍ଟ ହୋଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ସୋମବାର ବିଧାନସଭାରେ ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟର ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନାପଥର ଖଣି ଥିବାର ସୂଚନା ମିଳିଛି । ଦେବଗଡ଼ର ଅଡ଼ାସ୍ ଅଞ୍ଚଳରେ ତମ୍ବାବାହି ପଥର ଜି-୨ ସ୍ତରର ଜିଏସ୍‌ଆଇଙ୍କ ଦ୍ୱାରା ଆକଳନ କରାଯାଇ ତମ୍ବାପଥର ସହିତ ୧୬୮୫ କିଗ୍ରା ସୁନା ଥିବାର ସୂଚନା ରହିଛି । ଏତତ୍ ବ୍ୟତୀତ ଉକ୍ତ ଅଞ୍ଚଳରେ ତମ୍ବାବାହି ପଥର ସହିତ ୬.୬୭ ନିୟୁତ ଟନ୍ କପର, ୦.୬୩୮ ନିୟୁତ ଟନ୍ ସିଲ୍‌ଭର ଏବଂ ୦.୧୦ ନିୟୁତ ଟନ୍ ନିକେଲ ଥିବାର ଆକଳନ କରାଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ତେଲ୍‌କୋଇ ତହସିଲ୍ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ସୂନା ଖଣି ଥିବାର ଜଣାପଡ଼ିଛି । ଉକ୍ତ ଜିଲ୍ଲାର ଗୋପୁର, ଗାଜିପୁର,କୁଶକଳା,ଅଡ଼ାଳ ଏବଂ ତେଲକୋଇର ସଳେଇକଳା, ଡିମିରିମୁଣ୍ଡା ଓ କରଡ଼ଙ୍ଗା ଅଞ୍ଚଳରେ ସୂନାଖଣି ଥିବା ଜଣାପଡ଼ିଛି । ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ତରଫରୁ ୧୯୭୭-୮୩ ଏବଂ ୧୯୮୯-୯୬ରେ ସୁନା ନିମନ୍ତେ କେନ୍ଦୁଝର ଜିଲ୍ଲାର ତେଲ୍‌କୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇଥିଲା । ସେଠାରେ ୨ଟି ସୁନାବାହୀ ସ୍ପଟିକ ପଥର ଖଣି ଥିବା ଜଣାପଡ଼ିଥିଲା । ସେଠାରେ ସୁନାର ପରିମାଣ ୧ ଟନ୍ ପଥରରେ ଏକ ଗ୍ରାମ୍ ସୁନା ଥିବାର ବିଶେଷ୍ଳଣରୁ ଜଣାପଡିଛି । ତନ୍ମମଧ୍ୟରୁ ଗୋପର୍ ନିକଟସ୍ଥ ଦକ୍ଷିଣ ପାର୍ଶ୍ୱରେ ୬୦ ମିଟର ଲମ୍ବ ଓ ୧ମିଟର ଓସାର ଅଞ୍ଚଳରେ ଥିବା ସ୍ପଟିକ୍ ପଥର ଖଣିରେ ପ୍ରାୟ ୧ଟନ୍ ପଥରରେ ୨.୫ ଗ୍ରାମ୍‌ରୁ ୧୦ ଗ୍ରାମ୍ ସୁନା ଥିବାର ପ୍ରାରମ୍ଭିକ ଆକଳନ କରାଯାଇଛି । ତାହା ଭୂପୃଷ୍ଠରୁ ୩୦ମିଟରରୁ ୬୦ମିଟର ତଳେ ଥିବାରୁ ଆକଳନ ହୋଇଛି ।

ଅନ୍ୟପକ୍ଷରେ ଖଣି ମନ୍ତ୍ରୀ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସି, ବାଦାମପାହାଡ଼, ସୁଲେଇପାଟ୍‌(ଧୁସୁରା ପାହାଡ଼) ଓ ମାରେଡିହି ଅଞ୍ଚଳରେ ସୂନାଖଣିର ସନ୍ଧାନ ମିଳିଛି । ଜିଲ୍ଲାର ଇଡ଼େଇକୁଚା-ମାରେଡିହି-ବାଦାମପାହାଡ଼ ଇତ୍ୟାଦି ଅଞ୍ଚଳରେ ଥିବା ସୂନାଖଣିରେ କେତେ ସୂନା ରହିଛି ତାହା ଆକଳନ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ୧ ଟନ୍ ସୁନାବାହୀ ପଥରରେ ୦.୧ ରୁ ୨.୬ ଗ୍ରାମ ସୁନା ଥିବାର ଆକଳନ କରାଯାଇଛି । ୧୯୭୦-୭୧ ମସିହାରେ ଅନୁସନ୍ଧାନ କରାଯାଇ ସୁଲେଇପାଟ ଅଞ୍ଚଳରେ ଧୁସୁରା ପାହାଡ଼ରେ ୧ଟନ୍ ପଥରରୁ ୦.୧ ରୁ ୦.୮ ଗ୍ରାମ ସୁମା ଥିବାର ଆକଳନ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button