ଏକ୍ଜିଟ୍ ପୋଲ୍: ତ୍ରିପୁରା, ନାଗାଲାଣ୍ଡରେ ପୁଣି ବିଜେପି; ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ: ସୋମବାର ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଇତିପୂର୍ବରୁ ଚଳିତମାସ ୧୬ରେ ନାଗାଲାଣ୍ଡ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହୋଇସାରିଛି । ମାର୍ଚ୍ଚ ୨ରେ ଭୋଟଗଣତି କରାଯାଇ ଏହି ତିନିଟି ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଏହି ତିନି ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ପ୍ରତ୍ୟେକ ୬୦ ରହିଥିବାବେଳେ ସରକାର ଗଠନ କରିବାକୁ କୌଣସି ଦଳ କିମ୍ବା ମେଣ୍ଟକୁ ଅତିକମରେ ୩୧ଟି ଆସନ ହାତେଇବାକୁ ପଡିବ । ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ଓ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ (ବୁଥ୍ ଫେରନ୍ତା ମତ) ପ୍ରସ୍ତୁତ କରାଯାଇଛି । ତଦନୁଯାୟୀ ତ୍ରିପୁରାରେ ବିଜେପି ଏବଂ ନାଗାଲାଣ୍ଡରେ ବିଜେପି ମେଣ୍ଟ ସରକାର ବିଜୟୀ ହୋଇ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ଅଧିକ ରହିଛି । ଅପରପକ୍ଷରେ ମେଘାଳୟରେ ଅନ୍ୟ ଦଳ ତୁଳନାରେ ମୁଖ୍ୟମନ୍ତ୍ରୀ କନ୍ରାଡ୍ ସାଙ୍ଗମାଙ୍କ ନେତୃତ୍ୱାଧୀନ ଏନ୍ପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି) ଆଗୁଆ ରହିଥିଲେ ସୁଦ୍ଧା ଝୁଲା ସରକାର ଗଠନର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରାଯାଇଛି ।
ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ୍ରେ ତ୍ରିପୁରାରେ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ୩୬-୪୫ ଆସନ ମିଳିବ ବୋଲି ଆକଳନ କରାଯାଇଥିବାବେଳେ ନାଗାଲାଣ୍ଡରେ କ୍ଷମତାସୀନ ବିଜେପି-ଏନ୍ଡିପିପି (ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି) ମେଣ୍ଟକୁ ୩୮ରୁ ୪୮ ଆସନ ଏବଂ ମେଘାଳୟରେ ଏନ୍ପିପିକୁ ସର୍ବାଧିକ ୧୮-୨୪ ଆସନ ମିଳିପାରେ ବୋଲି କୁହାଯାଇଛି । ସେହିପରି ଟାଇମ୍ସ ନାଓ ପକ୍ଷରୁ ତ୍ରିପୁରାରେ ବିଜେପିକୁ ୨୧-୨୭, କଂଗ୍ରେସ-ବାମଦଳ ମେଣ୍ଟକୁ ୧୮-୨୪ ଆସନ ମିଳିବାର ସଙ୍କେତ ଦେଇଛି । ମେଘାଳୟରେ ଏନ୍ପିପିକୁ ସର୍ବାଧିକ ୧୮-୨୬, ବିଜେପିକୁ ୩-୬ ଏବଂ କଂଗ୍ରେସକୁ ୨-୫ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି । ଜି ନ୍ୟୁଜ୍ ମାଟ୍ରିଜ୍ ପକ୍ଷରୁ ତ୍ରିପୁରାରେ ବିଜେପିକୁ ୨୯-୩୬, କଂଗ୍ରେସ-ବାମଦଳ ମେଣ୍ଟକୁ ୧୩-୨୧ ଆସନ ମିଳିବ ବୋଲି କୁହାଯାଇଛି । ସେହିପରି ନାଗାଲାଣ୍ଡରେ ବିଜେପି-ଏନ୍ଡିପିପି ମେଣ୍ଟକୁ ୩୫-୪୩ ଆସନ ମିଳୁଥିବାବେଳେ କଂଗ୍ରେସ ଓ ଏନ୍ପିଏଫ୍କୁ ଯଥାକ୍ରମେ ୧-୩ ଓ ୨-୫ ଆସନରେ ସନ୍ତୁଷ୍ଟ ହେବାକୁ ପଡିବ ।
ମେଘାଳୟରେ ଏନ୍ପିପି ସର୍ବାଧିକ ୨୧-୨୬ ଆସନରେ ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଜନ୍ କି ବାତ୍ ଚ୍ୟାନେଲ ଅନୁଯାୟୀ ତ୍ରିପୁରାରେ ବିଜେପିକୁ ୨୯-୪୦ ଆସନ ମିଳୁଥିବାବେଳେ ନାଗାଲାଣ୍ଡରେ ବିଜେପି-ଏନ୍ଡିପିପି ମେଣ୍ଟକୁ ୩୫-୪୫ ଏବଂ ମେଘାଳୟରେ ଏନ୍ପିପିକୁ ସର୍ବାଧିକ ୧୧-୧୬ ଆସନ ମିଳିବ ବୋଲି ଆକଳନ କରାଯାଇଛି । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ୩୬ଟି ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳଭାବେ ତ୍ରିପୁରାରେ ସରକାର ଗଠନ କରିଥିବାବେଳେ ସିପିଏମ୍କୁ ୧୬ଟି ଆସନ ମିଳିଥିଲା । ନାଗାଲାଣ୍ଡରେ ନାଗା ପିପୁଲ୍ସ ଫ୍ରଣ୍ଟକୁ ସର୍ବାଧିକ ୨୬ଟି ଆସନ ମିଳିଥିଲା । ତେବେ ବିଜେପି-ଏନ୍ଡିପିପି ମେଣ୍ଟକୁ ସର୍ବାଧିକ ୩୦ଟି ଆସନ ମିଳିଥିବାବେଳେ ଏହା ସରକାର ଗଠନ କରିବାରେ ସମର୍ଥ ହୋଇଥିଲା । ମେଘାଳୟରେ କଂଗ୍ରେସ ସର୍ବାଧିକ ୨୧ଟି ଆସନ ହାତେଇଥିଲେ ସୁଦ୍ଧା ୟୁଡିପି (୬), ବିଜେପି (୨) ଓ ଅନ୍ୟ ଆଞ୍ଚଳିକ ଦଳ ସହ ମେଣ୍ଟ କରି ଏନ୍ପିପି (୨୦) ସରକାର ଗଠନ କରିଥିଲା ।