୨୦୨୫ ମହାକୁମ୍ଭ ପାଇଁ ୨୫୦୦ କୋଟି ବ୍ୟୟବରାଦ

ଲକ୍ଷ୍ନୌ : ଆଉ ଦୁଇବର୍ଷ ପରେ ଅର୍ଥାତ ୨୦୨୫ରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ପୂର୍ବନାମ ଆହ୍ଲାବାଦ)ରେ ମହାକୁମ୍ଭ ମେଳା ଆୟୋଜିତ ହେବାକୁ ଯାଉଛି । ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭ ଆୟୋଜିତ ହେଉଥିବାରୁ ଏଥର ଏହାର ସଫଳ ଆୟୋଜନ ନେଇ ରାଜ୍ୟ ସରକାର ତତ୍ପର ହୋଇପଡିଛନ୍ତି । ବୁଧବାର ବିଧାନସଭାରେ ବଜେଟ୍ ଉପସ୍ଥାପିତ ହୋଇଥିବାବେଳେ ମହାକୁମ୍ଭ ବାବଦରେ ୨୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ୨୦୨୨-୨୩ ବଜେଟ୍‌ରେ କୁମ୍ଭମେଳା ପାଇଁ ମାତ୍ର ୬୨୧.୫୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ତେବେ ୨୦୨୫ ସୁଦ୍ଧା ଅଯୋଧ୍ୟାସ୍ଥିତ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେଉଥିବାରୁ ସେତେବେଳେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁଗୁଣିତ ହେବ ବୋଲି ଆଶା କରାଯାଉଛି । ମହାକୁମ୍ଭରେ ବୁଡ ପକାଇବାକୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁ ନିଶ୍ଚିତଭାବେ ଅଯୋଧ୍ୟା ପରିଦର୍ଶନ କରି ରାମମନ୍ଦିର ଦର୍ଶନ କରିବେ ବୋଲି କୁହାଯାଉଛି । ଏଥିପାଇଁ ଅଯୋଧ୍ୟାକୁ ସଂଯୋଗ କରୁଥିବା ତିନିଟି ରାଜପଥର ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏଥିସହିତ ରାଜ୍ୟର ସମସ୍ତ ଧର୍ମସ୍ଥଳୀ ଓ ଐତିହାସିକ ସ୍ଥଳୀର ଆଧୁନିକୀକରଣ ପାଇଁ ବଜେଟ୍‌ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମିର୍ଜାପୁର ଜିଲ୍ଲାରେ ଅବସ୍ଥିତ ତିନିଟି ମନ୍ଦିର ଯଥା ମା ବିନ୍ଧ୍ୟବାସିନୀ, ମା ଅଷ୍ଟଭୂଜି ଦେବୀ ଓ କାଳୀ ଖୋ’ର ଉନ୍ନତି ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରୟାଗରାଜରେ ‘ଭଜନ ସନ୍ଧ୍ୟା ସ୍ଥଳ’ ନିର୍ମାଣ ଯୋଜନା ହାତକୁ ନିଆଯାଇଛି । ସୀତାପୁରରେ ତପୋସ୍ଥଳୀ ନିର୍ମାଣ କରାଯାଉଥିବାବେଳେ ନୈମିଷାରଣ୍ୟରେ ବେଦିକ୍ ସାଇନ୍ସ ସେଣ୍ଟର ଖୋଲାଯିବାର ପ୍ରସ୍ତାବ ରହିଛି । ୨୦୨୨ରେ ଉତ୍ତରପ୍ରଦେଶକୁ ପ୍ରାୟ ୨୫ କୋଟି ଶ୍ରଦ୍ଧାଳୁ ଆସିଥିଲେ । ଏମାନଙ୍କ ମଧ୍ୟରେ ୪ କୋଟି ୧୦ ଲକ୍ଷ ହେଉଛନ୍ତି ବିଦେଶୀ । ଏହି ପରିପ୍ରେକ୍ଷୀରେ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା, ବାରାଣସୀ, ଚିତ୍ରକୂଟ, ବିନ୍ଧ୍ରାଞ୍ଚଳ, ପ୍ରୟାଗରାଜ, ନୈମିଶ୍ୟାରଣ୍ୟ, ଗୋରଖପୁର, ମଥୁରା, ବୃନ୍ଦାବନ, ବଟେଶ୍ୱର ଧାମ ଭଳି ଧର୍ମସ୍ଥଳୀର ଉନ୍ନତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଏଥିପାଇଁ ସରକାର ୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସୂଚନାଯୋଗ୍ୟ ୨୦୧୩ ଜାନୁଆରୀ ୨୫ରୁ ଫେବୃଆରୀ ୨୭ ପର୍ଯ୍ୟନ୍ତ ଆହ୍ଲାବାଦରେ ଶେଷଥର ପାଇଁ ମହାକୁମ୍ଭ ଆୟୋଜିତ ହୋଇଥିଲା । ଦେଶବିଦେଶର ପ୍ରାୟ ୬ କୋଟି ଭକ୍ତ ପବିତ୍ର ସଙ୍ଗମରେ ବୁଡ ପକାଇଥିଲେ । ତେବେ ୧୦ ଫେବୃଆରୀରେ ଆହ୍ଲାବାଦ ରେଳଷ୍ଟେସନରେ ଦଳାଚକଟା ଘଟି ୪୩ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଆଗାମୀ ମହାକୁମ୍ଭକୁ ଦୁର୍ଘଟଣାମୁକ୍ତ ରଖିବାକୁ ସରକାର ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି ।

 

Related Articles

Leave a Reply

Your email address will not be published.

Back to top button