ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ । ଏନେଇ ଡିଏମ୍‌ଇଟି ଡା. ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତାବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ହେବ । ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ଆଗକୁ ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲାଗି ରାଜ୍ୟ ସରକାର ଯୋଜନା ରଖିଛନ୍ତି । ବର୍ତ୍ତମାନ ରାଜ୍ୟର ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କେଲଜ ରହିଛି । ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କେଲଜ ରହିଛି । ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ୭୦୦ ଡାକ୍ତରୀ ସିଟ ରହିଛି । ଏବେ ରାଜ୍ୟରେ ଖୋଲିଥିବା ୭ଟି ନୂଆ ମେଡିକାଲ କଲେଜ ଯୋଗୁଁ ଆଉ ୭୦୦ ସିଟ୍ ଯୋଡ଼ି ହୋଇଛି । ଫଳରେ ରାଜ୍ୟର ସରକାରୀ ମେଡିକାଲ କଲେଜର ମୋଟ ଡାକ୍ତରୀ ସିଟ ସଂଖ୍ୟା ୧୪୦୦ରେ ପହଞ୍ଚିଛି । ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପରେ ରାଜ୍ୟରେ ଦେଖା ଦେଇଥିବା ଡାକ୍ତର ଅଭାବ ସମସ୍ୟା ଦୂର ହେବ । ଏଥିପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ ଅଛନ୍ତି ଓ ଭିତ୍ତିଭୂମିର ବିକାଶ କରାଯାଉଛି । ସେହିଭଳି ଏମ୍‌ବିବିଏସ୍ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନ ଯିବା ପାଇଁ ଦୁଇ ବର୍ଷ ଚୁକ୍ତି କରାଯାଉଛି । ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏ ନେଇ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଡିଏମ୍‌ଇଟି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button