ନେଇଥିବା ବର୍ଦ୍ଧିତ ହୋଲଡିଂ ଟିକସକୁ ସୁଧ ସହ ଲୋକଙ୍କୁ ଫେରାଉ ବିଏମ୍‌ସି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ବିଏମ୍‌ସିର ହୋଲଡିଂ ଟିକସ ବୃଦ୍ଧି ନିଷ୍ପତି ବେଆଇନ ବୋଲି ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ଏହା ବିଏମ୍‌ସିକୁ ଶକ୍ତ ଚାପୁଡା ଏବଂ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତି ରଦ୍ଦ ହେବା ଫଳରେ ଭୁବନେଶ୍ୱରବାସୀ ଆଶ୍ୱସ୍ତି ହୋଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ପ୍ରକାଶଥାଉ କି, ହୋଲଡିଂ ଟିକସ ବୃଦ୍ଧି କରିବା ପୂର୍ବରୁ ବିଏମ୍‌ସି ପ୍ରଶାସନିକ ପକ୍ରିୟା ଅନୁପାଳନ କରିନଥିଲା । ପୌରଆଇନର ସେକ୍ସନ-୨୧୫ ଅନୁସାରେ ମୂଲ୍ୟାଙ୍କନ କମିଟି ଗଠନ ହେବାର ନିୟମ ରହିଛି । ଏଥିରେ ଜଣେ ପୂର୍ବତନ ଜଜ୍‌ଙ୍କୁ ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଯିବା ସହିତ ୩ ରୁ ୬ଜଣ ସଦସ୍ୟ ରହିଥାନ୍ତି । ଟିକସ୍ ବୁଦ୍ଧି ପୂର୍ବରୁ ଉକ୍ତ କମିଟି ଆଲୋଚନା ଓ ପର୍ଯ୍ୟାଲୋଚନା କରି ନିଷ୍ପତି ନେଇଥାଏ । ଏହାପରେ ବିଏମ୍‌ସିର ଫାଇନାନ୍ସ ଏବଂ ଟ୍ୟାକ୍ସେସନ୍ କମିଟି ଅଧ୍ୟକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥାଏ । ପରିଶେଷରେ ବିଏମ୍‌ସି ପରିଷଦ ବୈଠକରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥାଏ । କିନ୍ତୁ ଏସମସ୍ତ ପକ୍ରିୟାକୁ ଅବଲମ୍ବନ ନକରି ବିଏମ୍‌ସି ମନମୁଖୀ ଜିଜିୟା କର ଭଳି ହୋଲଡିଂ ଟିକସର ବୃଦ୍ଧି କରିବାର ନିଷ୍ପତି ନେଇଥିଲେ । ବିଏମ୍‌ସିର ଏପ୍ରକାର ଜନବିରୋଧୀ ନିଷ୍ପତି ବିରୋଧରେ ପୂର୍ବରୁ ବିଜେପି ପକ୍ଷରୁ ପୂର୍ବରୁ ବ୍ୟାପକ ଜନଆନ୍ଦୋଳନ କରାଯାଇଥିଲା । ରାଜ୍ୟ ସରକାର ଲୋକଙ୍କ ଦାବି ପ୍ରତି କର୍ଣ୍ଣପାତ ନକରି ଏପ୍ରକାର ଜିଜିୟା କର ଭୁବନେଶ୍ୱରବାସୀଙ୍କ ଉପରେ ଲଦି ଦେବା ପାଇଁ ଜିଦ୍‌ରେ ଅଟଳ ଥିଲେ । ଏବେ ମାନ୍ୟବର ହାଇକୋର୍ଟଙ୍କ ରାୟ ପରେ ବିଏମ୍‌ସିର ଜନବିରୋଧୀ ମୁଖା ଖୋଲି ଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପୂର୍ବରୁ ବିଏମ୍‌ସି ଜୋର ଜବରଦସ୍ତ ଅନେକ ଲୋକଙ୍କଠାରୁ ବର୍ଦ୍ଧିତ ଦରରେ ହୋଲଡିଂ ଟିକସ ଆଦାୟ କରିଥିଲା । ଆଦାୟ କରାଯାଇଥିବା ଜନବିରୋଧୀ ହୋଲଡିଂ ଟିକସକୁ ସୁଧମୂଳ ସହ ଲୋକଙ୍କୁ ଫେରସ୍ତ କରୁ ବିଏମ୍‌ସି । ସେତେବେଳେ ଏଭଳି ଜନବିରୋଧୀ ହୋଲଡିଂ ଟିକସ ନିଷ୍ପତି ନେଇଥିବା ସଂପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏନେଇ ଯଦି ରାଜ୍ୟ ସରକାର ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଭାରତୀୟ ଜନତା ପାର୍ଟି ପୁଣି ରାଜଧାନୀବାସୀଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ହରିଚନ୍ଦନ ଚେତାବନି ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button