ତୁର୍କୀ ଓ ସିରିୟା ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୧ ହଜାର ଛୁଇଁଲା

ଆଙ୍କାରା: ପଶ୍ଚିମ ଏସୀୟ ରାଷ୍ଟ୍ର ତୁର୍କୀ ଓ ସିରିୟାରେ ଗତ ସୋମବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୧ ହଜାର ଅତିକ୍ରମ କରିଥିବା ଜଣାପଡିଛି । ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଉଦ୍ଧାରକାରୀ ଦଳ ଭୂକମ୍ପ ପ୍ରଭାବିତ ଅଞ୍ଚଳର ଭଗ୍ନାବଶେଷ ତଳୁ ମୃତାହତଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ବୁଧବାର ସୁଦ୍ଧା ତୁର୍କୀରେ ମୃତ୍ୟୁସଂଖ୍ୟା ୭୬୦୦ ଏବଂ ସିରିୟାରେ ୩୮୦୦ ଛୁଇଁଥିବା କୁହାଯାଇଛି । ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲକ୍ଷାଧିକ ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଇତିମଧ୍ୟରେ ଭାରତ ସମେତ ବିଭିନ୍ନ ରାଷ୍ଟ୍ରରୁ ତୁର୍କୀ ଓ ସିରିୟାକୁ ସହାୟତାର ସୂଅ ଛୁଟିବାରେ ଲାଗିଛି । ତୁର୍କୀ ରାଷ୍ଟ୍ରପତି ରିସେପ୍ ତାୟାପି ଏର୍ଡୋଗାନ୍ ବୁଧବାର ଭୂମିକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ତୁର୍କୀ ଓ ସିରିଆର ଭୂକମ୍ପ ପ୍ରଭାବିତ ସ୍ଥାନରେ ପ୍ରବଳ ବରଫପାତ ସାଙ୍ଗକୁ ବର୍ଷା ଲାଗିରହିଛି । ଭୂମିକମ୍ପ ଯୋଗୁଁ ଏହି ସହରଗୁଡିକରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି । ଏହାସତ୍ତ୍ୱେ ଉଦ୍ଧାରକାରୀ ଦଳ ଜୀବନକୁ ପାଣି ଛଡେଇ ଧ୍ୱଂସସ୍ତୂପ ତଳୁ ଲୋକଙ୍କୁ ଠାବ ଓ ଉଦ୍ଧାର କରୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଆହତଙ୍କ ତୁଳନାରେ ମୃତକଙ୍କ ଶବ ଅଧିକ ସଂଖ୍ୟାରେ ଉଦ୍ଧାର କରାଯାଉଛି । କେତେକ ସ୍ଥାନରେ ପରିବାରର ଅନ୍ୟ ସଦସ୍ୟମାନେ ପ୍ରାଣ ହରାଇଥିବାବେଳେ କାଁ ଭାଁ ଶିଶୁ ଏଭଳି ଭୟଙ୍କର ପ୍ରାକୃତିକ ଦୁର୍ବିପାକରୁ ବର୍ତ୍ତି ଯାଇଥିବା ଦେଖାଯାଇଛି । ଏଭଳି ଅନାଥ ଶିଶୁଙ୍କ ଦେଖାଶୁଣା କରିବା ସରକାରଙ୍କ ପକ୍ଷରେ କଷ୍ଟକର ହୋଇପଡିଛି ।

Related Articles

Leave a Reply

Your email address will not be published.

Back to top button