ନବ ଦାସ ହତ୍ୟା ମାମଲା: ନାର୍କୋ ଟେଷ୍ଟ ପାଇଁ ଗୁଜରାଟ ଗଲା ଗୋପାଳ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ହେବ ନାର୍କୋ ଟେଷ୍ଟ । ଗୋପାଳର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି ଝାରସୁଗୁଡା ଏସ୍‌ଡିଜେଏମ୍ କୋର୍ଟ । ଏହାସହ ଗୋପାଳର ରିମାଣ୍ଡ ଅବଧି ଆହୁରି ୫ଦିନ ବଢ଼ାଇଛନ୍ତି କୋର୍ଟ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନିଆ ରିମାଣ୍ଡରେ ନେଇ ଜେରାକରିବ କ୍ରାଇମ୍‌ବ୍ରାଞ୍ଚ । ଆଉ ଏହି ସମୟରେ ଗୋପାଳମୁହଁରୁ ସତ ଓଗାଳିବା ପାଇଁ ତା’ର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯିବ ।
ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୦ଦିନ ପୂରଣ ହୋଇଥିଲେ ବି ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ । ନାନା କାହାଣୀ କହି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟାକରୁଛି ଅଭିଯୁକ୍ତ ଗୋପାଳ । ସତକୁ ଲୁଚାଇବା ପାଇଁ ତଦନ୍ତକୁ ଗୋଲ ବୁଲାଉଛି । ତେବେ ନାର୍କୋ ଓ ପଲିଗ୍ରାଫି ଟେଷ୍ଟରେ ପୂରା ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଶା କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଗୁଜରାଟରେ ହେବ ନାର୍କୋ ଟେଷ୍ଟ । ଓଡ଼ିଶାରେ ନାର୍କୋ ଟେଷ୍ଟର ସୁବିଧା ନଥିବାରୁ ଗୋପାଳକୁ ଗୁଜରାଟର ଗାନ୍ଧିନଗର ନିଆଯାଉଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି । ଏଥିପାଇଁ ଝାରସୁଗୁଡାରୁ ଭାୟା କୋଲକାତା ଦେଇ ଅହମ୍ମଦାବାଦ ଅଭିମୁଖେ ଗୋପାଳକୁ ନିଆଯାଉଛି । ଅନ୍ୟପଟେ ଗୁଜରାଟରୁ ଫେରିଲେ ଗୋପାଳର ପଲିଗ୍ରାଫ ଟେଷ୍ଟ ଭୁବନେଶ୍ୱରରେ ହେବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୩ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ନେଇ ତଦନ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ । ହେଲେ ଏଥିରୁ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ ସକ୍ଷମ ହୋଇନି ତଦନ୍ତକାରୀ ଦଳ । ଏବେ ନାର୍କୋଟେଷ୍ଟରୁ ହୁଏତ ସତ ପଦାକୁ ଆସିପାରେ । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବୁଧବାର ପ୍ରଥମ ଥର ପାଇଁ କ୍ରାଇମ୍ ସ୍ପଟ୍ ଭିଜିଟ୍ କରିଛନ୍ତି । କ୍ରାଇମ୍ ବ୍ରାଞ୍ଚ ତଦନ୍ତର ମନିଟରିଂ କରୁଥିବା ଜଷ୍ଟିସ୍ ଜେ.ପି. ଦାସଙ୍କ ସହ ମଙ୍ଗଳବାରଠୁ ଝାରସୁଗୁଡ଼ା ଜିଲ୍ଲାରେ ଥିବା ପୁଲିସ ଡିଜି ସୁନୀଲ ବଂଶଲ ବୁଧବାର ସକାଳ ପ୍ରାୟ ୯ଟା ୪୫ରେ ନବ ହତ୍ୟାକାଣ୍ଡ ସ୍ଥଳ ବ୍ରଜନଗନର ଗାନ୍ଧିଛକ କ୍ରାଇମ୍ ସ୍ପଟ୍‌କୁ ଯାଇଥିଲେ । ସାଙ୍ଗରେ ଥିଲେ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଏଡିଜି ଆଇନଶୃଙ୍ଖଳା ଆର୍‌.କେ. ଶର୍ମା ଓ ଉତ୍ତରାଞ୍ଜଳ ଆଇଜି ଡକ୍ଟର ଦୀପକ କୁମାର । ଫେରିବା ବେଳେ ଝାରସୁଗୁଡ଼ା ବିମାନବନ୍ଦରରେ ଡିଜିପି କହିଛନ୍ତି, ତଦନ୍ତକୁ ଆଉ ଟିକେ ସମୟ ଲାଗିବ । ସେହିପରି ଡିଜିପିଙ୍କ ଘଟଣାସ୍ଥଳ ପରିଦର୍ଶନର କିଛି ସମୟ ପରେ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚିଥିଲେ ତଦନ୍ତର ଅନୁଧ୍ୟାନ ଦାୟିତ୍ୱରେ ଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସ । ଘଟଣାଦିନ ଅଭିଯୁକ୍ତ ଗୋପାଳ ଦାସ କିଭଳି ମନ୍ତ୍ରୀ ନବଙ୍କୁ ଗୁଳି କରିଥିଲା, ସାଙ୍ଗରେ ଥିବା କ୍ରାଇମ୍ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କଠୁ ଟିକିନିଖି ଅବଗତ ହୋଇଥିଲେ ଜଷ୍ଟିସ୍ ଦାସ । ଏହାପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ମାମଲାର ତଦନ୍ତ ଠିକ୍ ବାଟରେ ଚାଲିଛି । ହତ୍ୟା ଉଦ୍ଦେଶ୍ୟ ଜାଣିବାକୁ ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି । କ୍ରାଇମ ସିନ୍ ରିକ୍ରିୟେସନ୍ ବେଳେ ମନ୍ତ୍ରୀଙ୍କୁ କେମିତି ଗୁଳିକରି ମାରିଲା ନିର୍ବିରୋଧରେ ଗୋଟି ଗୋଟି କରି ବି ଦେଖାଇ ସାରିଲାଣି ଅଭିଯୁକ୍ତ ଗୋପାଳ । ଘଟଣା ପଛରେ ଷଡ଼ଯନ୍ତ୍ର ଥିଓରୀ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ତଦନ୍ତ ତଦାରଖ ଦାୟିତ୍ୱରେ ଥିବା ଜଷ୍ଟିସ୍ ଜେ.ପି. ଦାସ କହିଛନ୍ତି, ହତ୍ୟାକାଣ୍ଡର କାରଣ ଖୋଜା ଚାଲିଛି ।
କିପରି ଓ କାହିଁକି କରାଯାଏ ନାର୍କୋ ଟେଷ୍ଟ
ନାର୍କୋ ଟେଷ୍ଟ୍‌ର ପରୀକ୍ଷଣ ସର୍ବପ୍ରଥମେ ୧୯୨୨ରେ ରବର୍ଟ ହାଉସ୍ ନାମକ ଜଣେ ଟେକ୍‌ସାସର ଡାକ୍ତର କରିଥିଲେ । ସେ ଦୁଇଜଣ ଅଭିଯୁକ୍ତଙ୍କ ଉପରେ ଏହାର ପ୍ରୟୋଗ କରିଥିଲେ । ଏହି ଟେଷ୍ଟ୍ କରାଯିବା ପୂର୍ବରୁ ପ୍ରଥମେ ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ବୟସକୁ ଧ୍ୟାନ ଦିଆଯାଇଥାଏ । ତା’ପରେ ବ୍ୟକ୍ତିକୁ ଇଞ୍ଜେକସନ୍ ଦିଆଯାଇଥାଏ । ନାର୍କୋ ଟେଷ୍ଟକୁ ନାର୍କୋଆନାଲିସିସ ଟେଷ୍ଟ ମଧ୍ୟ କୁହାଯାଏ । ଏହି ପ୍ରକ୍ରିୟାରେ ଅଭିଯୁକ୍ତଙ୍କୁ ସୋଡିୟମ ପେଣ୍ଟଥାଲ ନାମକ ଡ୍ରଗ୍ସ ଇଂଜେକସନ ମାଧ୍ୟମରେ ଦିଆଯାଇଥାଏ । ଏହା ସେଭଳି ଲୋକଙ୍କୁ ଦିଆଯାଇଥାଏ, ଯେଉଁମାନେ ସତ କହିବାକୁ କୁଣ୍ଠାବୋଧ କରନ୍ତି । ଏହି ଔଷଧୀୟ ପ୍ରୟୋଗ ଫଳରେ ବ୍ୟକ୍ତିର ମସ୍ତିଷ୍କର ତ୍ୱରିତ ପ୍ରତିକ୍ରିୟା ଦେଉଥିବା ଅଙ୍ଗ ଅଚଳ ହୋଇଥାଏ । ଫଳରେ ବ୍ୟକ୍ତି ଆଉ ମିଛ କହିପାରିନଥାଏ । ଯାହା ସତ, ତାହା ହିଁ ଲୋକଟି କହିଥାଏ । ତେବେ ଗୋପାଳ ଗୁଳି କରି ନବ ଦାସଙ୍କ ହତ୍ୟା ଘଟଣାର ଷଡ଼ଯନ୍ତ୍ରରେ ଆଉ କେଉଁ ଅଭିଯୁକ୍ତଙ୍କ ସଂପୃକ୍ତି ରହିଛି; ତାହା ଜଣାପଡ଼ିବା ସହ ଘଟଣା ଉପରୁ ପରଦା ଉଠିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଆଶାକରୁଛି ।
ଖବର କାଗଜ ପଢ଼ି ମନଖୋଲା ହସିଲା
ଗୋପାଳକୁ ଟେଷ୍ଟ ପାଇଁ ଗୁଜୁରାଟ ନେବା ବେଳେ ଝାରସୁଗୁଡା ଏୟାରପୋର୍ଟ ଲବିରେ ସେ ବସି ଖବର କାଗଜ ପଢ଼ୁଥିବା ଦେଖିବାକୁ ମିଳିଥିଲା । ଏଥିସହ ପରେ ଗୋପାଳ ମନ ଖୋଲା ହସ ହସିବା ସମସ୍ତଙ୍କୁ ବିସ୍ମିତ କରିଛି । ତେବେ ନିଜ ସମ୍ପର୍କରେ ଖବର ପଢ଼ି ସେ ହସୁଥିବା ଅନୁମାନ କରାଯାଉଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ସେ ଏତେ ସ୍ୱାଭାବିକ ବ୍ୟବହାର ପଦର୍ଶନ କରିବା ସମସ୍ତଙ୍କୁ ଚକିତ କରିଛି ।

Related Articles

Leave a Reply

Your email address will not be published.

Back to top button