ଧନେଶ୍ୱର ବେହେରା ମୃତ୍ୟୁ ଘଟଣା: ୬ ବନ କର୍ମଚାରୀଙ୍କୁ କୋର୍ଟ ଚାଲାଣ

ଆଠଗଡ଼: ସାତଗୋଛିଆ ଗ୍ରାମର ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଆଠଗଡ଼ ପୁଲିସ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ କର୍ମଚାରୀମାନେ ହେଲେ ବଡମ୍ବା ରେଞ୍ଜର୍ ସୁବ୍ରତ ବେହେରା, ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ପରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ । ଆଠଗଡ ଥାନା କେଶ ନଂ. ୨୫/୨୩ ଏବଂ ଧାରା ୩୪୧/୨୪୯/୩୫୪/୩୨୩/୩୪୨/୩୦୨ ଓ ୩୪ ଆଇପିସି ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇ କଟକ ସ୍ପେସିଆଲ କୋର୍ଟକୁ ଚାଲାଣ କରାଯାଇଛି । ଏହି ଘଟଣାରେ ପୁଲିସ ୧୪ ଜଣ ବନ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରୁଥିଲେ ହେଁ ପ୍ରଥମ ଦଫାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଛି । ଅନ୍ୟ ୮ ଜଣ ବନ କର୍ମଚାରୀଙ୍କୁ ପୁଲିସ ଏବେ ସୁଦ୍ଧା ପଚରା ଉଚରା କରୁଛି ।
ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜର ମାଣିଆବନ୍ଧ ବିିଟ୍ ଅନ୍ତର୍ଗତ ହଣ୍ଡପା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀକୁ ଗତ ୩୧ ତାରିଖରେ ଗୁଳିକରି ହତ୍ୟା କରାଯିବା ପରେ ତା’ର ଦାନ୍ତ କାଟି ନିଆଯାଇଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଆଠଗଡ ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତ୍ରୀ, ବନସଂରକ୍ଷକ ଘନଶ୍ୟାମ ମୁଦୁଲି, ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରେ, ଆଠଗଡ ରେଞ୍ଜର ରବି ନାୟକ ପ୍ରମୁଖ ତଦନ୍ତକରି ସାତଗୋଛିଆ ଗ୍ରାମର ଧନେଶ୍ୱର ବେହେରା (୫୯), ବକୁଳ ବାଡ଼ିଆର ରାଜକିଶୋର ପ୍ରଧାନ, ସରୁଆଁର ବିରଞ୍ôଚ ଜାନୀ ଓ ରାଜୀବ ସ୍ୱାଇଁକୁ ଉଠାଇ ଆଣିଥିଲେ । ବନ କର୍ମଚାରୀମାନେ ମଧ୍ୟ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଧନେଶ୍ୱର ଚେତାଶୂନ୍ୟ ହୋଇ ପଡ଼ିଥିଲେ । ବନ କର୍ମଚାରୀମାନେ ତାଙ୍କୁ ପ୍ରଥମେ ମାଣିଆବନ୍ଧ ଓ ପରେ ତିଗିରିଆ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟମାନେ ଗୁରୁତର ହୋଇ ପଡ଼ିଥିଲେ । ଧନେଶ୍ୱରଙ୍କ ମୃତ୍ୟୁ ହୋଇଯିବାର ଜାଣି ବନ କର୍ମଚାରୀମାନେ ଡାକ୍ତରଖାନାରେ ଥିବା ସୁରକ୍ଷାକର୍ମୀକୁ ମାଡ଼ମାରି ଖସି ପଳାଇଥିଲେ । ତିଗିରିଆ ଡାକ୍ତରଖାନା ପକ୍ଷରୁ ତୁରନ୍ତ ତିଗିରିଆ ଥାନାକୁ ଖବର ଦେବାପରେ ଥାନା ଅଧିକାରୀ ସୁଚିତ୍ରା ଜେନା ଏବଂ ସବ-ଇନ୍ସପେକଟର ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଏକ ଦଳ ବଡ଼ମ୍ବା ଯାଇ ବନବିଭାଗର ୧୪ ଜଣ କର୍ମଚାରୀଙ୍କୁ ଉଠାଇ ଆଣିଥିଲେ । ଏହାପରେ ପୁଲିସ ଧନେଶ୍ୱରଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ ଡାକ୍ତରଖାନାକୁ ପଠାଇଥିଲେ । ଧନେଶ୍ୱରଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସାତଗୋଛିଆ ଗ୍ରାମବାସୀଙ୍କ ପକ୍ଷରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ ମାଣିଆବନ୍ଧ ବିଟ୍ ହାଉସ୍‌କୁ ଯାଇ ଭଙ୍ଗାରୁଜା କରିବା ସହିତ କଟକ-ନରିସଂହପୁର ରାସ୍ତାର ବାରସିଂ ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।
ଏହି ଘଟଣାରେ ପୁଲିସ ୨ଟି ବୋଲେରୋ ଗାଡ଼ି, ୪ଟି ଠେଙ୍ଗା, ମୃତ ବ୍ୟକ୍ତିଙ୍କର ପ୍ୟାଣ୍ଟ ସାର୍ଟ ଜବତ କରିଛି । ଅବଶିଷ୍ଟ ୮ ଜଣଙ୍କର ସମ୍ପୃକ୍ତିକୁ ନେଇ ସେମାନଙ୍କୁ ପଚରା ଉଚରା ଜାରି ରହିଛି । ଏଥିରେ ୨ ସହକାରୀ ବନ ସଂରକ୍ଷକ, ୨ ଡ୍ରାଇଭର, ୩ ଜଗୁଆଳି ଓ ଜଣେ ଏପିଆର ଫୋର୍ସ କର୍ମଚାରୀ ଅଛନ୍ତି । ମାତ୍ର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବନଖଣ୍ଡ ଅଧିକାରୀ ଓ ଏସିଏଫଙ୍କୁ ପୁଲିସ ଗିରଫ କରିନାହିଁ କି ଅଟକ ରଖିନାହିଁ ।

Related Articles

Leave a Reply

Your email address will not be published.

Back to top button