୩୦ ହଜାର ନୂଆ ନିଯୁକ୍ତି ଦେବ ପିଡବ୍ଲ୍ୟୁସି ଇଣ୍ଡିଆ

ନୂଆଦିଲ୍ଲୀ: ଭାରତରେ ଦୃଢ ଉପସ୍ଥିତି ଜାରି ରଖିବା ପାଇଁ ପିଡବ୍ଲ୍ୟୁସି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱାରୋପ କରୁଛି  । ଆଗାମୀ ୫ ବର୍ଷ ମଧ୍ୟରେ ପିଡବ୍ଲ୍ୟୁସି ୩୦ ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଘୋଷଣା କରିଛି । ୨୦୨୮ ସୁଦ୍ଧା କମ୍ପାନୀ ଏହାର କର୍ମଚାରୀ ସଂଖ୍ୟା ୮୦ ହଜାରକୁ ପହଁଚାଇବାର ଲକ୍ଷ୍ୟ ରଖିଛି ।  ଭାରତରେ ବିଶ୍ୱସ୍ତରୀୟ କେନ୍ଦ୍ର ସ୍ଥାପନ ପାଇଁ ପିଡବ୍ଲ୍ୟୁସି ଇଣ୍ଡିଆ ଓ ପିଡବ୍ଲ୍ୟୁସି ଆମେରିକା ମିଳିତ ଭାବେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି  । ଯାହାକି କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧି ସହ ଗୁଣାତ୍ମକ ସେବା ପ୍ରଦାନରେ ସହାୟକ ହୋଇପାରିବ  । ସମ୍ପ୍ରତି ଏହି ଫାର୍ମରେ ୫୦ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି  । ଏସମ୍ପର୍କରେ ପିଡବ୍ଲ୍ୟୁସି ୟୁଏସର ସିନିୟର ପାର୍ଟନର ଟିମ ରିୟାନ କହିଛନ୍ତିଯେ, ପିଡବ୍ଲ୍ୟୁସି ଇଣ୍ଡିଆ ଓ ପିଡବ୍ଲ୍ୟୁସି ୟୁଏସ ମଧ୍ୟରେ ଏହି ସହଭାଗୀତା ଦ୍ୱାରା ଆମେ କ୍ଲାଏଂଟମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ପାରିବୁ  । ଏହା ଆମର ବ୍ୟବସାୟିକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିପାରିବ  । ଏତଦବ୍ୟତୀତ ଆମ ଲୋକମାନଙ୍କର ବୈଷୟିକ ଜ୍ଞାନକୌଶଳର ବିକାଶ ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିପାରିବ  । ୨୦୨୨ରେ ପିଡବ୍ଲ୍ୟୁସି ଇଣ୍ଡିଆ ଭୁବନେଶ୍ୱର, ଜୟପୁର ଓ ନୋଇଡ଼ାରେ ତିନୋଟି କାର୍ଯ୍ୟାଳୟ ଆରମ୍ଭ କରିଛି  । ଆଗାମୀ ଦିନରେ ଏହା ଅଧିଗ୍ରହଣ ଓ ନିବେଶ ବୃଦ୍ଧି ଉପରେ ବି ଗୁରୁତ୍ୱାରୋପ କରିବାକୁ ଯୋଜନା ରଖିଛି  । ୨୦୨୧ରେ କମ୍ପାନୀ ପକ୍ଷରୁ ନିଉ ଇକ୍ୱେସନ ଗ୍ଲୋବାଲ ଷ୍ଟ୍ରାଟେଜୀ ଆରମ୍ଭ କରାଯାଇଥିଲା  । ଯେଉଁଥିରେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ସଂକଳ୍ପ ନିଆଯାଇଛି  । ସେହିପରି ଘରୋଇ ବଜାରର ସାମର୍ଥ୍ୟ ବୃଦ୍ଧି ସହ  ସମାଜ ପାଇଁ ନୂଆ ସମ୍ଭାବନା ସୃଷ୍ଟିର ବି ଲକ୍ଷ୍ୟ ରହିଛି  ।  ଏସମ୍ପର୍କରେ ପିଡବ୍ଲ୍ୟୁସି ଇଣ୍ଡିଆର ଅଧ୍ୟକ୍ଷ ସଂଜୀବ କ୍ରୀଷ୍ଣନ କହିଛନ୍ତିଯେ, ଭାରତର ଅଭିବୃଦ୍ଧି ଗାଥାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଆମେ ସଂକଳ୍ପବଦ୍ଧ  । ଆମ କ୍ଲାଏଂଟ ଓ ଅଂଶଧନକାରୀମାନଙ୍କ ପ୍ରମୁଖ ସମସ୍ୟାର ସମାଧାନ ସହ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଦିଗରେ କାର୍ଯ୍ୟ କରିବୁ  । ଆମର ଏହି ଯୌଥ ଉଦ୍ୟୋଗ ଏଦିଗରେ ଏକ ପାଦ ଆଗକୁ ବୋଲି ସେ କହିଛନ୍ତି  ।

Related Articles

Leave a Reply

Your email address will not be published.

Back to top button