ଗାଡିଚାଳକଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ଵସ୍ତି

ନୂଆଦିଲ୍ଲୀ: ଗାଡିଚାଳକଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ଵସ୍ତି। ପ୍ରତି ଦ୍ଵିତୀୟ ଗାଡି କିଣିବା ଉପରେ ପରିବେଶ ଶୁଳ୍କ ଲଗାଇବା ଏବଂ ‘ଏକ ବ୍ୟକ୍ତି ଏକ କାର’ ମାନଦଣ୍ଡ ଲାଗୁ କରିବା ଦାବିରେ ଦାଖଲ ଯାଚିକାକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି। କୋର୍ଟ କହିଛନ୍ତି, ନୀତିଗତ ପ୍ରସଙ୍ଗ ଉପରେ ଅଦାଲତ ହସ୍ତକ୍ଷେପ କରି ପାରିବେ ନାହିଁ।ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆମେ ଏହି ଧରଣର ନିର୍ଦ୍ଦେଶ ଜାରି କରି ପାରିବୁ ନାହିଁ ଯେ, ଏକ ବ୍ୟକ୍ତି, ଏକ କାରକୁ ଅନୁମତି ଦିଅନ୍ତୁ, ଟ୍ୟାକ୍ସ ସୁନିଶ୍ଚିତ କରନ୍ତୁ, ଦ୍ଵିତୀୟ କାର ଉପରେ ପରିବେଶ ଶୁଳ୍କ ଲଗାଯାଉ, ବାୟୁ ପ୍ରଦୂଷଣ ପାଇଁ ଏକ ଆୟୋଗ ଗଠନ କରାଯାଉ। ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି। ଅଦାଲତ ଏକ ବେସରକାରୀ ସଂଗଠନ(ଏନଜିଓ) ସୁନାମୀ ଅନ ରୋଡ୍ସ ଦ୍ଵାରା ଦାଖଲ ଏକ ଜନସ୍ଵାର୍ଥ ଆବେଦନ ଉପରେ ଶୁଣାଣି କରି ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ଏନଜିଓର ସଂସ୍ଥାପକ ସଞ୍ଜୟ କୁଲଶ୍ରେଷ୍ଠ କହିଛନ୍ତି, ରାସ୍ତାରେ ବଢୁଥିବା ବାହାନ ସଂଖ୍ୟା ପରିବେଶ ପ୍ରତି ସଙ୍କଟ ସୃଷ୍ଟି କରୁଛି। ତେଣୁ ଲୋକଙ୍କ ଦ୍ଵାରା କିଣା ଯାଉଥିବା କାର ସଂଖ୍ୟାକୁ ସୀମିତ କରିବା ଏବଂ ପରିବେଶ ଶୁଳ୍କ ଲଗାଇଲେ ଗାଡିରୁ ହେଉଥିବା ପ୍ରଦୂଷଣ ହ୍ରାସ ପାଇବାରେ ସହାୟକ ହୋଇପାରେ।ପୀଠରେ ସାମିଲ୍ ବିଚାରପତି ପିଏସ ନରସିମାହ ଆମେ ପ୍ରତିଟି କ୍ଷେତ୍ରରେ ଏବଂ ମାମଲାରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ଆବେଦନକାରୀଙ୍କୁ କହିଛନ୍ତି। ଆମେ ଏଠାରେ ଆଇନଗତ ମାମଲାର ସମାଧାନ ପାଇଁ ବସିଛୁ। ଆପଣଙ୍କ ଆବେଦନରେ ସତ୍ୟତା ରହିଛି, ମାତ୍ର ପରିବେଶ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ବିଚାର କରି ପାରିବୁ ନାହିଁ। ଆବେଦନକାରୀ କହିଛନ୍ତି, ଭାରତରେ ୨୦୨୧ରେ ୩୦ ଲକ୍ଷରୁ ଅଧିକ କାର ବିକ୍ରି ହୋଇଛି। କାର୍ ବିକ୍ରି ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି। ଏହା ଦେଶରେ ଟ୍ୟାକ୍ସ ଦେଉଥିବା ଲୋକଙ୍କ ସଂଖ୍ୟାରେ ସାମଞ୍ଜସ୍ୟ ରହୁନାହିଁ। କୋର୍ଟ କହିଛନ୍ତି, ସରକାରଙ୍କ ରାଜସ୍ଵ ବିଭାଗ କରଦାତାଙ୍କ ସହ ଉତ୍ତମ ସମନ୍ଵୟ ରଖିବାକୁ ଉଦ୍ୟମ କରୁଛନ୍ତି। ସେଥିରେ ଆମକୁ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ।