ଯୋଶୀମଠ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡର ଯୋଶୀମଠ ସହର ଧସୁଥିବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା । ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ସୋମବାର ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ଯୋଶୀମଠ ଘଟଣାକୁ ଜାତୀୟ ବିପର୍ଯ୍ୟୟଭାବେ ଘୋଷଣା କରାଯାଉ ବୋଲି ଦାବିକରି ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ନାମକ ଜନୈକ ସାଧୁ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଏ ପ୍ରସଙ୍ଗରେ ଶୁଣାଣି କରିବାର ସମସ୍ତ କ୍ଷମତା ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିକଟରେ ରହିଛି । ତେଣୁ ସୁପ୍ରିମକୋର୍ଟ ଆସିିବା ପରିବର୍ତ୍ତେ ପିଟିସନଧାରୀ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଯୁକ୍ତିଯୁକ୍ତ । ଶୁଣାଣି ଆରମ୍ଭ ହେବାମାତ୍ରେ ପିଟିସନଧାରୀଙ୍କ ଓକିଲ ସୁପ୍ରିମକୋର୍ଟ ପୀଠକୁ ଜଣାଇଥିଲେ ଯେ ଯୋଶୀମଠ ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ତେଣୁ କ୍ଷତିଗ୍ରସ୍ତଙ୍କ ଥଇଥାନ ଓ ରିଲିଫ୍ ପାଇଁ ସରକାରୀସ୍ତରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି । ତେବେ ଓକିଲଙ୍କ ଏଭଳି ଯୁକ୍ତିରେ ପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଭଳି ଯୁକ୍ତି ଉପସ୍ଥାପନ କରି ଆପଣ କ’ଣ ସତରେ କ୍ଷତିଗ୍ରସ୍ତଙ୍କ ଦୁଃଖ ଲାଘବ ପାଇଁ ଚିନ୍ତା କରୁଛନ୍ତି ନା ସୋସିଆଲ ମିଡିଆରେ ନିଜର ସୁନାମ ଅର୍ଜନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୀଠ ପ୍ରଶ୍ନ କରିଥିଲେ ।