ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ କୋହଲି

ତିରୁୱନନ୍ତପୁରମ୍‌ : ଶ୍ରୀଲଙ୍କା ବିପକ୍ଷରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଅପରାଜିତ ଶତକ ହାସଲ କରିଛନ୍ତି ଭାରତୀୟ ରନ୍‌ ମେସିନ୍ ବିରାଟ କୋହଲି। ଦିନିକିଆରେ ଏହା କୋହଲିଙ୍କ ୪୬ତମ ଏବଂ ଆ‌ନ୍ତର୍ଜାତିକ କ୍ରିକେଟ୍‌ରେ ୭୪ତମ ଶତକ। ଏହି ଇନିଂସରେ କୋହଲି ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୨ଟି ବିଶ୍ବ କୀର୍ତ୍ତିମାନକୁ ଅତିକ୍ରମ କରିଛନ୍ତି। ଘରୋଇମାଟିରେ ସର୍ବାଧିକ ଦିନିକିଆ ଶତକ ଏବଂ ଏକ ଦଳ ବିପକ୍ଷରେ ସର୍ବାଧିକ ଦିିନିକିଆ ଶତକର ବିଶ୍ବ କୀର୍ତ୍ତିମାନ ହାସଲ କରିଛନ୍ତି ବିରାଟ କୋହଲି। ରବିବାର ୩ୟ ଦିନିକିଆରେ କୋହଲିଙ୍କ ଶତକ ଘରୋଇମାଟିରେ ୨୧ତମ ଦିନିକିଆ ଶତକ। ଫଳରେ ଘରୋଇମାଟିରେ ବିଶ୍ବରେ ସର୍ବାଧିକ ୨୦ଟି ଦିନିକିଆ ଶତକ ମାରିଥିବା ନିଜଦେଶର ସଚିନ ତେନ୍ଦୁଲକରଙ୍କ ବିଶ୍ବ କୀର୍ତ୍ତିମାନକୁ କୋହଲି ଅତିକ୍ରମ କରିଛନ୍ତି। ସଚିନ ଘରୋଇମାଟିରେ ୧୬୦ଟି ଦିନିକିଆ ଇନିଂସରେ ୨୦ଟି ଶତକ ହାସଲ କରିଥିବା ବେଳେ କୋହଲି ଘରୋଇ ମାଟିରେ ୧୦୧ ଦିନିକିଆ ଇନିଂସରେ ୨୧ଟି ଶତକ ହାସଲ କରିଛନ୍ତି। ଏକ ଦଳ ବିପକ୍ଷରେ ସର୍ବାଧିକ ୯ଟି ଦିନିକିଆ ଶତକ ମାରିବାର କୀର୍ତ୍ତିମାନ ସଚିନଙ୍କ ନାମରେ ଥିଲା। ହେଲେ ଏହି ଶତକ ମାରିବା ସହ ଶ୍ରୀଲଙ୍କା ବିପକ୍ଷରେ ୧୦ମ ଦିନିକିଆ ଶତକମାରି ବିଶ୍ବ କୀର୍ତ୍ତିମାନ ହାସଲ କରିଛନ୍ତି କୋହଲି। ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ୯ଟି ଏବଂ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କୋହଲି ୯ଟି ଦିନିକିଆ ଶତକ ମାରିଥିଲେ। ପୁଣି ୪ଟି ଦିନିକିଆରେ ୩ଟି ଶତକ ହାସଲ କରିଛନ୍ତି କୋହଲି। ଗତବର୍ଷ ଡିସେମ୍ବରରେ ଘରୋଇ ବାଂଲାଦେଶ ବିପକ୍ଷ ଦିନିକିଆରେ ଶତକ ମାରିଥିବା କୋହଲି ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଶତକ ମାରିଥିଲେ।

Related Articles

Leave a Reply

Your email address will not be published.

Back to top button