ହୃଦଘାତ ଯୋଗୁ ହିଁ ଋଷୀୟ ନାଗରିକଙ୍କ ହୋଇଛି ମୃତ୍ୟୁ

ଭୁବନେଶ୍ବର : ପାରାଦୀପରେ ଲାଗିଥିବା ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଂଜିନିୟର ତଥା ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଆସିଛି ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ହୃଦଘାତ ଯୋଗୁ ହିଁ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସୂଚନା ମିଳିଛି। ଗତକାଲି ରାତିରେ ଏନେଇ ପାରାଦୀପ ପୁଲିସ୍‌କୁ ରିପୋର୍ଟ ହସ୍ତାନ୍ତର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିବା ବେଳେ ପୁଲିସ୍‌ ତରଫରୁ କୌଣସି ସୂଚନା ଦିଆଯାଇନି। ଗତ ୩ ତାରିଖ ଭୋର ସମୟରେ ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ଛଟପଟ ହୋଇ ମିଲ୍ୟାକୋଭ୍ ସର୍ଗେଇ ତଳେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଫଳରେ ତାଙ୍କ ବାମ ପାର୍ଶ୍ୱ ଆଖି ପତା ପାଖରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଏବେ ପାରାଦୀପ ବନ୍ଦର ଡାକ୍ତରଖାନା ଶବାଗାରରେ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତଦେହକୁ ରଖାଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟ କେହି ପହଞ୍ଚି ନ ଥିବା ଜଣାଯାଇଛି।  ଏନେଇ ନୂଆଦିଲ୍ଲୀସ୍ଥିତି ଋଷିଆ ଦୂତାବାସ ପକ୍ଷରୁ କ୍ଲିୟରାନ୍ସ ମିଳିବା ପରେ ମୃତଦେହକୁ କାହ୍ନା ସିପିଂକୁ ହସ୍ତାନ୍ତର କରାଯିବ । କାହ୍ନା ସିପିଂ ତରଫରୁ ହିଁ ପାରାଦୀପ ଥାନାରେ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁ ନେଇ ଲିଖିତ ଅଭିଯୋଗ ହୋଇଥିଲା। କାହ୍ନା ସିପିଂ ତରଫରୁ ମିଲ୍ୟାକୋଭ୍ଙଙ୍କ ମୃତଦେହକୁ ଋଷ ନିଆଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

Related Articles

Leave a Reply

Your email address will not be published.

Back to top button