ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ

କଟକ: ଚଳିତବର୍ଷ ହେଉଛି ଓଡ଼ିଶାର ହାତୀଙ୍କ ପାଇଁ ଅତ୍ୟନ୍ତ ଖରାପ ବର୍ଷ। ହାତୀ ମୃତ୍ୟୁ ରୋକିବା ଦିଗ‌ରେ ସରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି। ଏଭଳି ଟିପ୍ପଣୀ ରଖିବା ସହିତ ରାଜ୍ୟରେ ହାତୀ ମୃତ୍ୟୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଏମ. ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ହାତୀ ମୃତ୍ୟୁ ରୋକିବା ପାଇଁ ନିଆଯାଇଥିବା ବାସ୍ତବ ପଦକ୍ଷେପ ସଂପର୍କରେ ଡିସେମ୍ବର ୨୨ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ହାତୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଗଜସାଥୀଙ୍କ ପ୍ରସଙ୍ଗରେ ମଧ୍ୟ ସବିଶେଷ ତଥ୍ୟ ଦାଖଲ କରିବେ। ରାଜ୍ୟରେ ନିୟୋଜିତ ଗଜସାଥୀଙ୍କ ନାମ ଓ ଅନ୍ୟ ତଥ୍ୟ ମଧ୍ୟ ଦେବେ। ରାଜ୍ୟରେ ହାତୀ କରିଡର ମାର୍ଗ ଦର୍ଶାଉଥିବା ନକ୍ସା ଦାଖଲ କରିବେ। ହାତୀ କରିଡର ଅନ୍ତର୍ଗତ ଓ ପାର୍ଶ୍ବବର୍ତ୍ତୀ ଗାଁ ଗୁଡିକର ନାଁ ସତ୍ୟପାଠରେ ଉଲ୍ଲେଖ ରହିବ। ଅନ୍ୟପଟେ, ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ହୋଇଥିବା ହାତୀ ଶିକାର ଘଟଣାରେ ଏତଲା ପଞ୍ଜୀକରଣ କରାଯାଇଛି କି ନାହିଁ, ସେ ନେଇ  ଶୁଣାଣି ସମୟରେ ସ୍ଥିତି ସ୍ପଷ୍ଟ ହୋଇପାରି ନଥିଲା। ଏହି ଘଟଣାରେ ଏତଲା ପଞ୍ଜୀକରଣ ପ୍ରସଙ୍ଗରେ ଜବାବ ରଖିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୨କୁ ହାଇକୋର୍ଟ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ମୁଖ୍ୟ ବନ ସଂରକ୍ଷକଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମାମଲାର ଶୁଣାଣି ସମୟରେ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ମନୋଜ ଭି ନାୟର ଭର୍ଚୁଆଲ ମୋଡ୍‌ରେ ଉପସ୍ଥିତ ରହି ଶିମିଳିପାଳ ଅଭୟାରଣ୍ୟ ହୋଇଥିବା ହାତୀ ମୃତ୍ୟୁ ଘଟଣାରେ ବନ କର୍ମଚାରୀଙ୍କ ସଂପୃକ୍ତି ପ୍ରସଙ୍ଗ ସ୍ବୀକାର କରିଥିଲେ। ତିନିଜଣ ବନ କର୍ମଚାରୀଙ୍କୁ ଏହି ମାମଲାରେ ନିଲମ୍ବନ କରାଯାଇଛି ବୋଲି ମୁଖ୍ୟ ବନ ସଂରକ୍ଷକ କହିଥିଲେ।

Related Articles

Leave a Reply

Your email address will not be published.

Back to top button