କ୍ୱାକଙ୍କ ଭୁଲ ଚିକିତ୍ସା ପାଇଁ ଚାଲିଗଲା ଯୁବକଙ୍କ ଜୀବନ

ରାୟଗଡ଼ା : କ୍ବାକ ତଥା ନକଲି ଡାକ୍ତରଙ୍କ ଭୁଲ ଇଂଜେକସନ ପାଇଁ ଜଣେ ଯୁବକଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଶବ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ। ମୃତକ ହେଲେ ପ୍ରଶାନ୍ତ କୌଶଲ୍ୟା(୨୬)। ପରିବାର ସୂତ୍ରରୁ ପ୍ରକାଶ ଯେ, ପ୍ରଶାନ୍ତଙ୍କ ଦେହ ଅସୁସ୍ଥ ହେବାରୁ ଗତକାଲି ଜେକେପୁର ସ୍ଥିତ ବି.ସି ରୋଡ଼ରେ କ୍ଲିନିକ୍ କରିଥିବା ବି. ଆନନ୍ଦ ରାଓ ଓରଫ ନନ୍ଦୁ ବାବୁ ନାମକ ବ୍ୟକ୍ତିଙ୍କ ପାଖରେ ଚିକିତ୍ସିତ ହୋଇଥିଲେ। ପ୍ରଶାନ୍ତଙ୍କ ମୁଣ୍ଡ ବ୍ୟଥା ସାଙ୍ଗକୁ ସାମାନ୍ୟ ପେଟ ଯନ୍ତ୍ରଣା ହୋଇଥିଲା। ସେହି କ୍ଲିନିକରେ ଦୁଇଟି ଭୁଲ ଇଂଜେକସନ ଓ କିଛି ଔଷଧ ଦେଇଥିଲେ କ୍ବାକ ଜଣକ। ଇଂଜେକସନ ଦେବାପରେ ପ୍ରଶାନ୍ତ ଘରକୁ ଫେରିବାର ୧୦ ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଘଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପରିବାର ବର୍ଗ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଅଧିକ ତଦନ୍ତ ଜାରି ରହିଛି। ଦୀର୍ଘ ବର୍ଷ ଧରି ଏଭଳି ନକଲି କ୍ଲିନିକ କରି ଲୋକଙ୍କ ଜୀବନ ସହ ଖେଳୁଥିଲେ ନକଲି ଡାକ୍ତର ବି. ଆନନ୍ଦ ରାଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Related Articles

Leave a Reply

Your email address will not be published.

Back to top button