ତିନି ଦିନ ପରେ ବଢିବ ଶୀତ

ଭୁବନେଶ୍ବର: ମାଣ୍ଡୋସ୍ ପ୍ରଭାବରେ ଶୀତ ସାମାନ୍ୟ କମିଥିବାବେଳେ ତିନି ଦିନ ପରେ ପୁଣି ବଢିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଯାଇଛି। ତେଣୁ ଶୀତ କମିଛି। ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ। ତାପମାତ୍ରା ପାଖାପାଖି ୩ ଡିଗ୍ରି ଯାଏ ହ୍ରାସ ପାଇବ। ମାଣ୍ଡୋସ୍‌ ରବିବାର ଦିନ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ଉତ୍ତର କେରଳ ପାଖାପାଖି ଏହା ଆହୁରି ଅସ୍ପଷ୍ଟ ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସେହି ସମାନ ଅଞ୍ଚଳରେ ରହିଥିବା ବେଳେ ସମୁଦ୍ର ପତ୍ତନଠାରୁ ୫.୮ କିମି ଯାଏ ପରିବ୍ୟାପ୍ତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଆସନ୍ତା ୧୩ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭାରତ ଉପକୂଳରୁ ଦୂରେଇଯିବ। ତେଣୁ ଓଡ଼ିଶା କିମ୍ବା ଭାରତ ଉପ‌ରେ ଏହାର ପ୍ରଭାବ ପଡ଼ିବ ନାହିଁ। ଅପରପକ୍ଷେ ମାଣ୍ଡୋସ୍‌ ପ୍ରଭାବରେ ରବିବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଆଦି ଅଞ୍ଚଳର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆଜିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଆକାଶ ନିର୍ମଳ ରହିବ। ରାଜଧାନୀ ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ତାପମାତ୍ରା ସର୍ବାଧିକ ୨୯ଡିଗ୍ରି ଓ ସର୍ବନିମ୍ନ ୧୭ଡିଗ୍ରି ମଧ୍ୟରେ ରହିବ।

Related Articles

Leave a Reply

Your email address will not be published.

Back to top button