ରାଜ୍ୟ କ୍ୟାବିନେଟ୍ ମୋହର: ଗଞ୍ଜାମ, ସୋନପୁର ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ

ଭୁବନେଶ୍ୱର: ଗଞ୍ଜାମ ଓ ସୋନପୁର ଜିଲ୍ଲାରେ ହେବ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ । ଏହି ଦୁଇ ଜିଲ୍ଲା ପାଇଁ ମୋଟ୍ ୧୧୦୪ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ମୋଟ୍ ୯୪୦ କୋଟି ୮୧ ଲକ୍ଷ ୬୭,୭୦୫ ଟଙ୍କା ବ୍ୟୟ ହେବ । ଏନେଇ ଓଡ଼ିିଶା ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ଲାଭକରିଛି । ବୁଧବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କ ଅନୁମତି କ୍ରମେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିଧାନସଭା ଶୀତ ଅଧିବେଶନ କାରଣରୁ ତାହା ପ୍ରକାଶ କରାଯାଇ ନ ଥିଲା । ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେଜେଏମ୍ ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିପରି ଦ୍ୱିତୀୟ ପ୍ରସ୍ତାବରେ ସୋନପୁର ଜିଲ୍ଲାର ତରଭା, ଉଲୁଣ୍ଡା, ସୋନପୁର ଓ ବୀରମହାରାଜପୁର ବ୍ଲକ୍‌ର ୬୪ଟି ଗ୍ରାମ ପଞ୍ଚାୟତର ୬୨୫ଟି ଗାଁରେ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ୫୫୩ କୋଟି ୮୫ ଲକ୍ଷ ୮୨ ହଜାର ୭୦୦ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ୍ ଅନୁମୋଦନ କରିଛି ବୋଲି ଶ୍ରୀମତି ମଲ୍ଲିକ ଗୃହରେ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button