ବିଜେପି ନେତାଙ୍କ ଭୋଟ୍ କିଣା ମନ୍ତବ୍ୟ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ: ବିଜେଡି

ଭୁବନେଶ୍ୱର: ବିଜେପି ନେତାଙ୍କ ଭୋଟ୍ କିଣା ମନ୍ତବ୍ୟ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି ବିଜେଡିର ନୂଆ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଅଭିଯୋଗ କରିଛନ୍ତି । ଶନିବାର ଶ୍ରୀ ଘିବେଲା କହିଛନ୍ତି ଯେ, ୨୦୧୯ ପଦ୍ମପୁର ନିର୍ବାଚନରେ ୧୦ହଜାର ଭୋଟ୍ କିଣାଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ ସଂପୂର୍ଣ୍ଣ ଭତ୍ତିହୀନ ଓ ଆଶ୍ଚର୍ଯ୍ୟଜନକ । ପଦ୍ମପୁରବାସୀଙ୍କ ପ୍ରତି ଏହା ଘୋର ଅପମାନ । କାରଣ ପଦ୍ମପୁରବାସୀ ବିକ୍ରି ହେବାର ଲୋକ ନୁହନ୍ତି । କାହାରି ପଇସାରେ ସେମାନେ ଭୋଟ ଦିଅନ୍ତି ନାହିଁ । ଯଦି ତାଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ସେ ତାହା ପ୍ରଦାନ କରନ୍ତୁ । ଏଠି ସ୍ୱାଭିମାନୀ ଲୋକେ ରୁହନ୍ତି । ଘୋଡ଼ାସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି । ପୁରୋହିତ ଯେଭଳି ବିବୃତ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା ଜଣାପଡୁଛି । ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରୀ ଘିବେଲା କହିଛନ୍ତି ଯେ,ଭାରତୀୟ ଜନତା ପାର୍ଟି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଏକ କେନ୍ଦ୍ରୀୟ ଦଳ । ସେହି ଦଳର ପୂର୍ବତନ ବିଧାୟକ ଏଭଳି ମନ୍ତବ୍ୟ ଦେବା ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ । ତାଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ତାଙ୍କୁ ହାରିବାର ଭୟ ଘାରିଛି । ଏହା ଏକ ବିବୃତ୍ତି ନୁହେଁ କି ତାଙ୍କର କଥା ନୁହେଁ, ଏହା ଏକ ପାଗଳର ପ୍ରଳାପ ଭଳି ମନେ ହେଉଛି । ତେଣୁ ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ପଦ୍ମପୁରବାସୀ ତାଙ୍କୁ ଠିକଣା ଜବାବ୍ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button