ଜ୍ଞାନବାପି ମସଜିଦ ମାମଲା: ଶିବଲିଙ୍ଗକୁ ସୁରକ୍ଷିତ ରଖିବା ନେଇ ପୂର୍ବ ଆଦେଶ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜ୍ଞାନବାପି ମସଜିଦ ପରିସରରେ ମିଳିଥିବା ‘ଶିବଲିଙ୍ଗ’କୁ ସୁରକ୍ଷିତ ରଖିବା ନେଇ ପୂର୍ବ ଆଦେଶକୁ ପାଳନ କରିବାକୁ ସୁପ୍ରିମକୋର୍ଟ ସବୁ ପକ୍ଷକୁ କହିଛନ୍ତି । ଏହି ମାମଲାରେ ଜବାବ ଦାଖଲ କରିବାକୁ ସଂପୃକ୍ତ ପକ୍ଷଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ତିନି ସପ୍ତାହ ସମୟ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେହି ଅଞ୍ଚଳର ସୁରକ୍ଷା ବୃଦ୍ଧି କରିବାକୁ କୋର୍ଟ କହିଛନ୍ତି। ହିନ୍ଦୁ ପକ୍ଷର ପିଟିସନକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ତରଫରୁ ହୋଇଥିବା ଆବେଦନର ବର୍ତ୍ତମାନର ସ୍ଥିତି ବିଷୟରେ ପଚରାଯିବାରୁ ଓକିଲ କହିଥିଲେ ଯେ ଏହାକୁ ଟ୍ରାଏଲ କୋର୍ଟ ଖାରଜ କରିଛନ୍ତି। ଏହା ସହ ଜଡିତ ଏକ ଆବେଦନ ଆହ୍ଲାବାଦ ହାଇକୋର୍ଟରେ ବିଚାରାଧୀନ ଅଛି। ମେ ୧୭ ରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରି ସୁପ୍ରିମକୋର୍ଟ ବାରଣାସୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଜ୍ଞାନବାପି-ଶୃଙ୍ଗାର ଗୌରୀ ପରିସର ଭିତରେ ଥିବା ଅଞ୍ଚଳର ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଠାରେ ‘ଶିବଲିଙ୍ଗ’ ମିଳିଥିବା ଦାବି କରାଯାଇଥିଲା । ଏହାଛଡ଼ା କୋର୍ଟ ମୁସଲିମ ପକ୍ଷକୁ ଜ୍ଞାନବାପି ମସଜିଦରେ ନମାଜ କରିବାକୁ ମଧ୍ୟ ଅନୁମତି ଦେଇଥିଲେ। ମେ ୨୦ରେ ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷରୁ ଜ୍ଞାନବାପି ମସଜିଦରେ ପୂଜାପାଠ କରିବାକୁ ଅଧିକାର ନେଇ ଆବେଦନକୁ ବାରାଣସୀର ଜିଲ୍ଲା ଜଜଙ୍କ ନିକଟକୁ ପଠାଇଥିଲେ। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ମେ ୧୭ରେ ଯେଉଁ ଅନ୍ତରୀଣ ଆଦେଶ ଦିଆଯାଇଥିଲା ତାହା ଶିବଲିଙ୍ଗର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ବାରାଣସୀର ଜ୍ଞାନବାପି ମସଜିଦରେ ହୋଇଥିବା ଏକ ସର୍ଭେ ସମୟରେ ହିନ୍ଦୁ ପକ୍ଷ ଶିବଲିଙ୍ଗ ଆବିଷ୍କୃତ ହୋଇଥିବା ଦାବି କରିଥିଲେ ।

Related Articles

Leave a Reply

Your email address will not be published.

Back to top button