ଚୀନ୍‌ରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପ୍ରସଙ୍ଗ: ଭାରତୀୟ ଛାତ୍ରଛାତ୍ରୀଙ୍କୁ ସାନି ପରାମର୍ଶବଳୀ

ନୂଆଦିଲ୍ଲୀ/ବେଜିଂ: ସଂପ୍ରତି ଭାରତର ପ୍ରାୟ ୨୩ ହଜାର ଛାତ୍ରଛାତ୍ରୀ ଚୀନ୍‌ର ଅଧିକାଂଶ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷାଲାଭ କରୁଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଚୀନ୍‌ରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି । ନିକଟରେ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ପକ୍ଷରୁ ଚୀନ୍‌ରେ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସର୍ତ୍ତାବଳୀ ଲାଗୁ କରାଯାଇଛି । ଚୀନ୍‌ରୁ ପାଠପଢା ଶେଷକରି ଭାରତକୁ ଫେରିବାପରେ ସଂପୃକ୍ତ ଛାତ୍ରଛାତ୍ରୀ ଏଠାରେ କିଭଳି ଡାକ୍ତରୀ ପେସା ଆରମ୍ଭ କରିପାରିବେ, ସେଥିନେଇ ଏହି ସର୍ତ୍ତାବଳୀ ଲାଗୁ କରାଯାଇଛି । ନୂତନ ନିୟମ ସହ ଭାରତୀୟ ଛାତ୍ରଛାତ୍ରୀ ଯେପରି ଅବଗତ ହେବେ, ସେଥିପାଇଁ ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଚୀନ୍ ସରକାରଙ୍କୁ ସୂଚୀତ କରାଯାଇଛି । ତଦନୁଯାୟୀ ୨୦୨୧ ନଭେମ୍ବର ପରେ ଚୀନ୍‌ରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ଭାରତୀୟ ଛାତ୍ରଛାତ୍ରୀ ଚୀନ୍‌ରେ ଡାକ୍ତରୀ ଲାଇସେନ୍ସ ପାଇବାରେ ଅସମର୍ଥ ହେବେ, ସେମାନଙ୍କୁ ଭାରତ ଫେରିଲେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ‘ଫରେନ୍ ମେଡିକାଲ ଗ୍ରାଜୁଏଟ୍ ଏକ୍ସାମିନେସନ’ ପାଇର୍ ଅଯୋଗ୍ୟ ବିବେଚନା କରାଯିବ ବୋଲି ପରାମର୍ଶବଳୀରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ତରଫରୁ ୨୦୨୧ ନଭେମ୍ବର ୧୮ରେ ଜାରି କରାଯାଇଥିବା ବିଜ୍ଞପ୍ତି ଦେଖିବାକୁ ଭାରତୀୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ ଡାକ୍ତରୀ ପାଠ୍ୟକ୍ରମ ଶେଷ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଅତିକମରେ ଆସିଷ୍ଟାଣ୍ଟ ଡାକ୍ତରଭାବେ ଚୀନ୍‌ରେ ପ୍ରାକ୍ଟିସ କରିପାରିବାର ଲାଇସେନ୍ସ ହାସଲ କରିବାକୁ ପଡିବ । ପୁନଶ୍ଚ ଭାରତରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଦ୍ଦିଷ୍ଟ ନିଟ୍ (ୟୁଜି) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ହିଁ ଏଫଏମ୍‌ଜି ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି । ୨୦୧୫ରୁ ୨୦୨୧ ମଧ୍ୟରେ ଚୀନରୁ ଶିକ୍ଷାପ୍ରାପ୍ତ କରିଥିବା ୪୦,୪୧୭ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୬୩୮୭ ଜଣ ଏଫଏମ୍‌ଜି (ଫରେନ୍ ମେଡିକାଲ ଗ୍ରାଜୁଏଟ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ଚୀନ୍‌ରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ସେଠାରେ କମ୍ ପାସ୍‌ହାର, ବାଧ୍ୟତାମୂଳକଭାବେ ମାଣ୍ଡାରିନ୍ ଭାଷା ଶିକ୍ଷା ଏବଂ ଭାରତ ଫେରିବାପରେ ଡାକ୍ତରୀ ପେସା ପାଇଁ କିପରି ଯୋଗ୍ୟ ବିବେଚିତ ହେବେ, ସେ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି । କୋଭିଡ୍ ଯୋଗୁଁ ଭାରତୀୟ ଛାତ୍ରଛାତ୍ରୀ ୨୦୨୦ରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ସ୍ଥିତି ସ୍ୱାଭାବିକ ହେବାପରେ ମଧ୍ୟ ଚୀନ୍ ସରକାର ଏହି ଛାତ୍ରଛାତ୍ରୀଙ୍କୁ ଫେରିବା ପାଇଁ ଭିସା ପ୍ରଦାନରେ କାଳକ୍ଷେପଣ ନୀତି ଅବଲମ୍ବନ କରିଥିଲେ । ଫଳରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଟାଣି ହୋଇଥିଲା । ଅବଶ୍ୟ ଚୀନ୍ ସରକାର ନିକଟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପୁଣି ଭିସା ଯୋଗାଣ ଆରମ୍ଭ କରିଥିବାରୁ ପ୍ରାୟ ୩୫୦ ଛାତ୍ରଛାତ୍ରୀ ଚୀନ୍‌ରେ ଥିବା ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଫେରିଯାଇଛନ୍ତି । ବର୍ତ୍ତମାନ ଭାରତ ଓ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉନଥିବାରୁ ଅନ୍ୟ ଭାରତୀୟ ଛାତ୍ରଛାତ୍ରୀ ଚୀନ୍ ଫେରିବାରେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁନଶ୍ଚ ଚୀନ୍‌ରେ କୋଭିଡ୍‌ର ଆତଙ୍କ ପୁଣି ମୁଣ୍ଡ ଟେକିଥିବାରୁ ସେଠାକାର ସରକାର ବିଦେଶୀଙ୍କ ପାଇଁ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ଅପରପକ୍ଷରେ ଚୀନ୍‌ର ବିଭିନ୍ନ ମେଡିକାଲ କଲେଜରେ ନାମଲେଖା ଫିସ୍ ଭିନ୍ନ ଭିନ୍ନ ହୋଇଥିବାରୁ ଆଗ୍ରହୀ ଛାତ୍ରଛାତ୍ରୀ ସେଠାକୁ ଯିବାପୂର୍ବରୁ ସବୁ ତଥ୍ୟ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ବିଦେଶୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷାରେ ଶିକ୍ଷାଦାନ କରିବାକୁ ଚୀନ୍‌ର ୪୫ଟି ମେଡିକାଲ ବିଶ୍ୱବିଦ୍ୟାଳୟ ସ୍ୱୀକୃତିଲାଭ କରିଥିବା ପ୍ରକାଶ ।

Related Articles

Leave a Reply

Your email address will not be published.

Back to top button