ହ୍ରଦରେ ଖସିଲା ବିମାନ, ୧୯ ମୃତ

ଦୋଦୋମା : ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ରବିବାର ଏକ ଯାତ୍ରୀବାହୀ ବିମାନ ଖସିପଡ଼ିଛି । ୫୯ ଯାତ୍ରୀଙ୍କ ମଧ୍ୟରୁ ଦୁର୍ଘଟଣାରେ ୧୯ ଜଣ ପ୍ରାଣ ହରାଇଥିବାବେଳେ ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ବିମାନଟି ତାଞ୍ଜାନିଆର ସର୍ବବୃହତ୍ ଘରୋଇ ବିମାନ ଚଳାଚଳ କମ୍ପାନୀ ପ୍ରିଶିସନ୍ ଏୟାରଲାଇନ୍ସର ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ସ୍ଥାନୀୟ ପ୍ରଶାସନ ଅନୁସାରେ ବିମାନଟି ବୁକୋବା ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ବେଳେ ପାଇଲଟ୍ ନିୟନ୍ତ୍ରଣ ହରାଇବା ଫଳରେ ଏହା ନିକଟରେ ଥିବା ହ୍ରଦରେ ଖସିପଡ଼ିଥିଲା । ସୂଚନା ମିଳିବାପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସୁରକ୍ଷା ଟିମ୍ ଲୋକଙ୍କୁ ବଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପ୍ରିଶିସନ୍ ଏୟାରଲାଇନ୍ସ ପକ୍ଷରୁ ଦୁର୍ଘଟଣା ସମ୍ପର୍କରେ ଏକ ସଂକ୍ଷିପ୍ତ ବୟାନ ଜାରି କରାଯାଇଛି । ତାଞ୍ଜାନିଆ ରାଷ୍ଟ୍ରପତି ସାମିୟା ସୁଲୁହୁ ହସନ୍ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button