୨୦୧୫-୨୦୨୨ ସବୁଠାରୁ ଉତ୍ତପ୍ତ ବର୍ଷ

ନୂଆଦିଲ୍ଲୀ: ୨୦୧୫ରୁ ୨୦୨୨ ପର୍ଯ୍ୟନ୍ତ ଏହି ଆଠଟି ବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷଭାବେ ମାନ୍ୟତାଲାଭ କରିଛି । ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ରବିବାର ପ୍ରକାଶିତ ‘ଡବ୍ଲ୍ୟୁଏମ୍‌ଓ ପ୍ରୋଭିଜିନାଲ ଷ୍ଟେଟ୍ ଅଫ୍ ଗ୍ଲୋବାଲ କ୍ଲାଇମେଟ୍‌-୨୦୨୨’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ ୧୯୯୩ ପରଠାରୁ ସମୁଦ୍ର ପତ୍ତନ (ସି-ଲେଭଲ) ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି । ୨୦୨୦ ଜାନୁଆରୀରୁ ସମୁଦ୍ର ପତ୍ତନ ପ୍ରତିବର୍ଷ ୧୦ ମିଲିମିଟର ବୃଦ୍ଧି ପାଇଆସୁଛି । ବିଗତ ଅଢେଇ ବର୍ଷ ମଧ୍ୟରେ ସମୁଦ୍ର ପତ୍ତନରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଉପଗ୍ରହ ମାଧ୍ୟମରେ କରାଯାଉଥିବା ମାପରୁ ଜଣାପଡିଛି । ୧୮୫୦-୧୯୦୦ ମସିହା (ପ୍ରି-ଇଣ୍ଡଷ୍ଟ୍ରିଆଲ) ତୁଳନାରେ ୨୦୨୨ରେ ବିଶ୍ୱ ତାପମାତ୍ରାରେ ୧.୧୫ ସେଲସିୟସ୍ ବୃଦ୍ଧି ଘଟିଛି । ଏହି ପରିପ୍ରେକ୍ଷୀରେ ୨୦୧୫ରୁ ୨୦୨୨, ଏହି ୮ ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷଭାବେ ମାନ୍ୟତାଲାଭ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଲା ନିନା ପ୍ରଭାବରେ ବିଶ୍ୱ ତାପମାତ୍ରା କିଛିଟା ହ୍ରାସ ପାଇଥିଲେ ସୁଦ୍ଧା ଏହା ୨୦୨୨ ମସିହାକୁ ଉତ୍ତପ୍ତ ବର୍ଷ ତାଲିକାରୁ ହଟାଇବାରେ ସଫଳ ହୋଇପାରିନାହିଁ । ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ଏହି ଦଶନ୍ଧିରେ ହାରାହାରି ତାପମାତ୍ରା ପ୍ରି-ଇଣ୍ଡଷ୍ଟ୍ରିଆଲ ବେସ୍‌ଲାଇନ୍ ତୁଳନାରେ ୧.୧୪ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିଥିବା ଜଣାପଡିଛି । ୨୦୧୧ରୁ ୨୦୨୧ ମଧ୍ୟରେ ଏହା ୧.୦୯ ଡିଗ୍ରୀ ସେଲସିୟସ ରହିଥିଲା । ଭାରତ ଓ ପାକିସ୍ତାନରେ ପ୍ରାକ୍ ମୌସୁମୀ ସମୟ (ମାର୍ଚ୍ଚ-ଏପ୍ରିଲ) ସବୁଠାରୁ ଉତ୍ତପ୍ତ ବୋଲି ବିବେଚନା କରାଯାଇଥାଏ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଫସଲ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ଚଳିତବର୍ଷ ଅତ୍ୟଧିକ ମୌସୁମୀ ବର୍ଷା ହେବାଫଳରେ ଭାରତ ଓ ପାକିସ୍ତାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଭାରତ ତୁଳନାରେ ପାକିସ୍ତାନରେ ବନ୍ୟା ବିଭୀଷିକା ତାଣ୍ଡବ ରଚିଥିଲା । ସେଠାରେ ୧୭୦୦ ଜଣ ପ୍ରାଣ ହରାଇଥିବାବେଳେ ୩୩ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ । ଭାରତରେ ଏହି ସମୟରେ ବନ୍ୟା ଯୋଗୁଁ ୭୦୦ ଓ ବଜ୍ରପାତରେ ୯୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଡବ୍ଲ୍ୟୁଏମଓ ରିପୋର୍ଟ ଅନୁଯାୟୀ ତାପମାତ୍ରାରେ ବୃଦ୍ଧି ଘଟିଲେ, ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ ।

Related Articles

Leave a Reply

Your email address will not be published.

Back to top button