ଜନମତକୁ ସମ୍ମାନ ଦେଉଛୁ : ନବୀନ

ଭୁବନେଶ୍ୱର: ‘ଧାମନଗର ଉପନିର୍ବାଚନରେ ଆମେ ହାରିଛୁ । ସେଥିପାଇଁ ଜନମତକୁ ସମ୍ମାନ ଦେଉଛୁ ।’ ରବିବାର ସଂଧ୍ୟାରେ ଦି ନ୍ୟୁ-ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଦଶମ ଓଡ଼ିଶା ସାହିତ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି । ଏହି ଅବରରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲ୍ ଧାମନଗର ଉପନିର୍ବାଚନ ପରାଜୟକୁ ନେଇ ପ୍ରଶ୍ନ କରିବାରୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କିଛି ଦିନ ପୂର୍ବରୁ ଧାମନଗର ବିଧାୟକଙ୍କ ଆକାଳ ମୃତ୍ୟୁ ହୋଇଥିଲା । ଦିବଙ୍ଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ । ବିଜେପି ସେହି ନେତାଙ୍କ ପୁଅଙ୍କୁ ଟିକେଟ୍ ଦେଇଥିଲା । ତେଣୁ ପ୍ରଥମରୁ ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଥିଲା । ତେବେ ଆମେ ବହୁତ କମ୍ ଉପନିର୍ବାଚନରେ ହାରିଛୁ । ନିକଟରେ ୩୦ଟି ଜିଲ୍ଲା ପରିଷଦ ନିିର୍ବାଚନରେ ବିଜୟୀ ହୋଇଛୁ ।’ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ମୁଖ୍ୟ ପ୍ରତିଦ୍ୱଦ୍ୱୀ ଦଳ କିଏ ବୋଲି ଶ୍ରୀ ଚାୱଲ୍ ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗରୁ ଓଡ଼ିଶାରେ କଂଗ୍ରେସ ଦ୍ୱିତୀୟ ବୃହତ୍ତମ ଦଳ ଥିଲା । ଏଇ କିଛି ବର୍ଷ ହେଲା ବିଜେପି ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଛି । ଏହା ସତ୍ତ୍ୱେ ବି ରାଜ୍ୟରେ କଂଗ୍ରେସର ଦବ୍‌ଦବା ରହିଛି । ଏଭଳି କ୍ଷେତ୍ରରେ ଲୋକଙ୍କ ସୁଖ ଦୁଃଖରେ ଥିବା ବିଜେଡି ଏକାକୀ ସଫଳ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button