ଓଡ଼ିଶାରେ ୩୪୪ ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର

ଭୁବନେଶ୍ୱର: ଶନିବାର ସର୍ବଭାରତୀୟ ସ୍ତରରେ ରୋଜଗାର ମେଳାର ଆୟୋଜନ ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଓ କଟକରେ ୩୪୪ ଜଣଙ୍କୁ ଆଜି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଭୁବନେଶ୍ୱରରେ ଆଜି ୧୧ ବିଭାଗ ଯଥା, ଡାକ, ଶିକ୍ଷା, ଅର୍ଥ, ଗୃହ, ଜଳ ସମ୍ପଦ, ଖଣି ଓ ଶ୍ରମ ବିଭାଗରେ ୨୩୯ ଜଣ ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେଥିରୁ ଡାକ ବିଭାଗରେ ୮୯, ଆଇଆଇଟି ଭୁବନେଶ୍ୱରରେ ୬୧, ଆୟକର ବିଭାଗରେ ୧୫, ଇଏସଆଇସିରେ ୨୭, ବ୍ୟାଙ୍କିଂରେ ୨୧, ସିଆରପିଏଫରେ ୫, ସିଡବ୍ଲ୍ୟୁସିରେ ୩ ଏବଂ ବିଏସଏଫ, ସିଜିଡବ୍ଲ୍ୟୁବି ଓ ଭୂତତ୍ତ୍ୱ ବିଭାଗରେ ଜଣେ ଲେଖାଏଁ ନିଯୁକ୍ତିଧାରୀଙ୍କୁ ନିଯୁକ୍ତ ପତ୍ର ବଣ୍ଟନ କରାଯାଇଛି । ସେହିପରି କଟକରେ ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ସେଥିରୁ ୯୨ ଜଣଙ୍କୁ ରେଳ ବିଭାଗରେ ଓ ୧୩ ଜଣଙ୍କୁ ଅନ୍ୟ ବିଭାଗରେ ନିଯୁକ୍ତି ମିଳିଛି । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଅନୁଷ୍ଠିତ ନିଯୁକ୍ତି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ୫୦ଟି ସ୍ଥାନରେ ୭୫,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଏଭଳି ୭୫,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ଏଭଳି ମୋଟ ୧୦ ଲକ୍ଷ ନିଯୁକ୍ତି ପାଇବେ । ଯୁବକମାନଙ୍କୁ ଚାକିରି ସୁଯୋଗ ଦେବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଦେଶରେ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ । ଆଗାମୀ ଦିନ ମାନଙ୍କରେ ରୋଜଗାର ମେଳା ଉତ୍ତମ ଭବିଷ୍ୟତ ପାଇଁ ଯୁବସମାଜକୁ ସମର୍ଥ କରିବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିପିଜି, ଓଡିଶା ସର୍କଲ ଶୁଭେନ୍ଦୁ ସ୍ୱାଇଁ, ଆଇଆଇଟି ଡିନ୍ ଫାକ୍ୟୁଲିଟି ପ୍ରଫେସର ସରୋଜ ନାୟକ, ଆୟକର ବିଭାଗର ପ୍ରିନ୍ସିପାଲ କମିଶନର ଧିରେନ୍ଦ୍ର କୁମାର ମିଶ୍ର, କଷ୍ଟମ ଆଣ୍ଡ ସେଣ୍ଟ୍ରାଲ ଏକସାଇଜ ଚିଫ୍ କମିଶନର ବିଜୟ କୁମାର କର, ସିଆର୍‌ପିଏଫ୍ ଆଇଜି ସଂଗ୍ରାମ କେଶରୀ ମହାନ୍ତି, ଏସ୍‌ଏଲବିସି ଜିଏମ୍ ଗୌତମ ପାତ୍ର, ଇଏସ୍‌ଆଇସି ଆର୍‌ଡି ଇନ୍‌ଚାର୍ଜ ପାର୍ଥସାରଥୀ ପଣ୍ଡା, ସିଜିଡବ୍ଲ୍ୟୁବି ଆର୍‌ଡି ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ବିଏସ୍‌ଏଫ ଆଇଜି ଧନେଶ୍ୱର କୁମାର ଶର୍ମା, ସିଡବ୍ଲ୍ୟୁସି ସିଇ ଅଜୟ କୁମାର ପ୍ରଧାନ ଏବଂ ଜିଏସ୍‌ଆଇର ନିର୍ଦ୍ଦେଶକ କ୍ଷୀରୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । କଟକ ସହିଦ ଭବନରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାରବାଟୀ କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଓ ଖୋର୍ଦ୍ଧା ରେଳବାଇ ଡିଭିଜନର ଡିଆରଏମ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button