ଅର୍ଚ୍ଚନା ନାଗଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର:  ବ୍ଲାକମେଲର  ଅର୍ଚ୍ଚନା ନାଗଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି  ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ । ଆଜି ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହାକୁ ଖାରଜ କରିଦେଇଛନ୍ତି  ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ।  ଗତ ଶୁକ୍ରବାର ଅର୍ଚ୍ଚନା ଜାମିନ ପାଇଁ ଆବେଦନ କରିଥିଲେ।  ଉକ୍ତ ଦିନ କୋର୍ଟ ଏହାକୁ ସଂରକ୍ଷିତ ରଖିଥିବା ବେଳେ ଆଜି ଶୁଣାଣି କରି ତାହାକୁ ଖାରଜ କରି ଦେଇଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ବଡ଼ ବଡ଼ିଆଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରି ସେମାନଙ୍କୁ ବ୍ଲାକମେଲ୍ କରିବା, ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି ।  ଏହି ଅଭିଯୋଗରେ ଅକ୍ଟୋବର ୭ ତାରିଖରେ ତାକୁ ଗିରଫ କରିଥିଲା କମିଶନରେଟ ପୁଲିସ୍  । ଏବେ ସେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ଏଥର ବି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିନି ପୁଲିସ, ଯାହାକି ପୁଲିସ୍‌ର ଭୂମିକା ନେଇ ସାଧାରଣ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।  ପୁଲିସ କୌଣସି ରିମାଣ୍ଡ ମାଗିନଥିବା  ସ୍ପଷ୍ଟ କରିଛନ୍ତି ସରକାରୀ ଓକିଲ। କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାୟାବିସ୍ତାର କରିଥିବା ଏହି ମାୟାବିନୀ ଅର୍ଚ୍ଚନାଙ୍କ ସହ ବଡ଼ବଡ଼ିଆଙ୍କ ସଂପୃକ୍ତି ଓ ତାଙ୍କ କଳାଧନ୍ଦାର ରହସ୍ୟ ପୁଲିସ ସାମ୍ନାକୁ ଆଣିବାକୁ  ସତସାହାସ ଜୁଟାଇ ପାରୁନି।  ପୁଲିସ୍‌ର ଏପରି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଛି। ଘଟଣାର ତଦନ୍ତ ଇଡି ଦ୍ୱାରା କରାଇବା ଦାବିରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଗୋଟିଏ ଆବେଦନ କରିଛି। ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଇଡି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ୍ ଡିଜି ଓ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

Related Articles

Leave a Reply

Your email address will not be published.

Back to top button