‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ କସ୍ତୁରୀ ମହାପାତ୍ର

ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ରାଜ୍ୟ ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ ର ସଂପାଦକ ଭାବେ କସ୍ତୁରୀ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଶ୍ରୀମତୀ ମହାପାତ୍ର ବିଭାଗର ପ୍ରକାଶନ ଓ ରଚନା ଶାଖାର ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ମତବିିନିମୟ କରିଥିଲେ ଏବଂ ଉଭୟ ପତ୍ରିକାର ଅଭିବୃଦ୍ଧି ନେଇ ସେମାନଙ୍କ ସହଯୋଗ ଅବ୍ୟାହତ ରହିବ ବୋଲି ଆଶା ପ୍ରକାଶ କରିଥିଲେ । ଉଭୟ ପତ୍ରିକାର ଗୁଣାତ୍ମକ ମାନ ବଜାୟ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
ଅନୁରୂପ ଭାବେ ପୂର୍ବତନ ସଂପାଦକ ଡ. ଲେନିନ୍ ମହାନ୍ତି ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଥିବାରୁ ତାଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୨୦୧୦ ମସିହାରୁ ସଂପାଦକ ଭାବରେ କାର୍ଯ୍ୟ କରିବା ସହିତ ବିଭାଗ ଆନୁକୂଲ୍ୟରେ ଏକାଧିକ ପ୍ରକାଶନର ସଫଳ ସଂପାଦନାରେ ତାଙ୍କର ଭୂମିକା ରହିଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ନବନିଯୁକ୍ତ ସଂପାଦକ ଶ୍ରୀମତୀ ମହାପାତ୍ରଙ୍କୁ ସ୍ୱାଗତ ଜଣାଇଥିଲେ । ଡ. ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ତାଙ୍କୁ ସବୁ ସମୟରେ ସହଯୋଗ ପ୍ରଦାନ କରିଥିବାରୁ ଡ. ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିଲେ ।
ରଚନା ଶାଖାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀଙ୍କ ସମେତ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂହ, ଉପନିର୍ଦ୍ଦେଶକ ସ୍ମିତା କର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button