ଚିଙ୍ଗୁଡି ପ୍ରୋସେସିଂ ୟୁନିଟ୍‌ରେ ଆମୋନିଆ ଗ୍ୟାସ୍ ଲିକ୍‌, ୨୮ କର୍ମଚାରୀ ଗୁରୁତର

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ଏକ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ ହୋଇଛି୍ । ଗ୍ୟାସ୍ ଲିକ୍ ଯୋଗୁଁ ୨୮ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ କିଛି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା କର୍ମଚାରୀ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଏହି ଘଟଣା ଘଟିଛି । ଖନ୍ତାପଡାର ଏକ ଚିଙ୍ଗୁଡି ପ୍ରୋସେସିଂ ୟୁନିଟ୍‌ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ସମୟରେ ସେଠାରେ କାମ କରୁଥିବା କର୍ମଚାରୀ ଗ୍ୟାସ୍ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥମାନଙ୍କୁ ଡାକ୍ତରଖାନା ନିଆଯିବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ତେବେ ପ୍ଲାଣ୍ଟରୁ କେମିତି ଗ୍ୟାସ୍ ଲିକ୍ ହୋଇଛି ତାହା ଜଣାପଡ଼ିନି । ତେବେ ଏ ଅଘଟଣ ସମ୍ପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ପୂର୍ବରୁ ୨୦୧୯ ନଭେମ୍ବର ୧୩ରେ ଖନ୍ତାପଡାର ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏଥିରେ ୯୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ । ପରେ ଚିକିତ୍ସା ପରେ ସେମାନେ ସୁସ୍ଥତା ଲାଭ କରିଥିଲେ ।

Related Articles

Leave a Reply

Your email address will not be published.

Back to top button