ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦକୁ ଫେରିଲେ ରୋହିତ ଶର୍ମା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ତାରକା ଖେଳାଳି ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦକୁ ଫେରିଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜି ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆଗାମୀ ଆଇପିଏଲ୍ ୨୦୨୭ରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଐତିହାସିକ ୨୦ତମ ସଂସ୍କରଣ ଖେଳିବାକୁ ଯାଉଥିବା ବେଳେ ଦଳର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ରୋହିତ ପୁଣି ଥରେ ଦଳର ନେତୃତ୍ୱ ନେବେ। ୨୦୧୧ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିବା ରୋହିତ ଶର୍ମା ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ଏକ ଦଶନ୍ଧି ଧରି ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ମସିହାରେ ମୋଟ ପାଞ୍ଚ ଥର ଆଇପିଏଲ୍ ବିଜେତା ହୋଇଥିଲା। ରୋହିତଙ୍କ ନେତୃତ୍ୱ ଦକ୍ଷତା, ଯୁବ ପ୍ରତିଭାଙ୍କ ଉପରେ ତାଙ୍କର ଭରସା ଏବଂ ପ୍ରଶଂସକଙ୍କ ସହ ତାଙ୍କର ଗଭୀର ସମ୍ପର୍କ ମୁମ୍ବାଇ ଇଣ୍ଡିଆନ୍ସର ସଫଳ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି। ଏହି ଅବସରରେ ନୀତା ଅମ୍ବାନୀ କହିଛନ୍ତି, “ମୁମ୍ବାଇ ଇଣ୍ଡିଆନ୍ସର ୨୦ତମ ସଂସ୍କରଣରେ ରୋହିତଙ୍କୁ ପୁଣି ଥରେ ଦଳର ନେତୃତ୍ୱ ନେଉଥିବା ଦେଖିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ରୋହିତଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଅନେକ ସ୍ମରଣୀୟ ମୁହୂର୍ତ୍ତରେ ପରିପୂର୍ଣ୍ଣ। ମୋର ଆଶା, ଏହି ନୂଆ ଅଧ୍ୟାୟ ରୋହିତ, ଆମ ଦଳ ଏବଂ କୋଟି କୋଟି ପ୍ରଶଂସକଙ୍କୁ ଗର୍ବିତ ହେବାର ଆହୁରି ଅନେକ ସୁଯୋଗ ଦେବ।” ସେହିପରି ଆକାଶ ଅମ୍ବାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଏହାର ପ୍ରଶଂସକଙ୍କ ସହ ରୋହିତଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼। ରୋହିତଙ୍କ ଅଭିଜ୍ଞତା, ତାଙ୍କର ନେତୃତ୍ୱ ଦକ୍ଷତା ଏବଂ ଆମେ ଗଢ଼ି ତୋଳୁଥିବା ଦଳକୁ ନେଇ ଆମେ ବେଶ୍ ଉତ୍ସାହିତ। ଆମେ ଏଭଳି କ୍ରିକେଟ୍ ଖେଳିବାକୁ ଚାହୁଁଛୁ, ଯାହାକୁ ନେଇ ଆମ ପ୍ରଶଂସକମାନେ ଗର୍ବ ଅନୁଭବ କରିବେ।”



