୩୦ ହଜାର ଟଙ୍କା ଲାଞ୍ଚନେବା ବେଳେ ଭିଜିଲାନ୍ସ ଜାଲରେ ପୌରପାଳିକା କର୍ମଚାରୀ

ସୁନ୍ଦରଗଡ଼: ଆବାସ ଯୋଜନାର ବକେୟା ଅର୍ଥ କରାଇ ଦେବା ନାଁରେ ଲାଞ୍ଚ ନେବାବେଳେ ବିରମିତ୍ରପୁର ପୌରପାଳିକାର ଜଣେ କର୍ମଚାରୀ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡ଼ିଛନ୍ତି। ଏହି ଘଟଣାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିତ୍ତିଭୂମି ବିଶେଷଜ୍ଞ ଭାବେ କାର୍ଯ୍ୟରତ ବୈବସ୍ୱତ ମନୁ ରାଉତଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ କାବୁ କରାଯାଇଛି। ସୂଚନା ଅନୁଯାୟୀ, ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଜଣେ ଗରିବ ଆଦିବାସୀ ହିତାଧିକାରୀଙ୍କୁ ଘର ନିର୍ମାଣ ନିମନ୍ତେ ମୋଟ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ପୂର୍ବରୁ କିଛି ଅର୍ଥ ମିଳିଥିବା ବେଳେ ଅବଶିଷ୍ଟ ୧ ଲକ୍ଷ ୩୦ ହଜାର ଟଙ୍କା ବକେୟା ରହିଥିଲା। ଏହି ବକେୟା ରାଶିକୁ ତୁରନ୍ତ ମୁକ୍ତ କରିବା ପାଇଁ ସମ୍ପୃକ୍ତ ହିତାଧିକାରୀ ଅଭିଯୁକ୍ତ କର୍ମଚାରୀ ବୈବସ୍ୱତ ମନୁ ରାଉତଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ମାତ୍ର ଅର୍ଥ ପ୍ରଦାନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପରିବର୍ତ୍ତେ ଅଭିଯୁକ୍ତ ଜଣକ ହିତାଧିକାରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବି କରିଥିଲେ।
ନିଜର ଆର୍ଥିକ ଦୁର୍ବଳତା କାରଣରୁ ହିତାଧିକାରୀ ଜଣକ ଏତେ ପରିମାଣର ଲାଞ୍ଚ ଦେବାକୁ ଅସମର୍ଥ ବୋଲି ପ୍ରକାଶ କରିଥିଲେ ମଧ୍ୟ ଅଭିଯୁକ୍ତ କର୍ମଚାରୀ ନିଜ ଜିଦ୍ରେ ଅଟଳ ରହିଥିଲେ ଏବଂ ବିନା ଲାଞ୍ଚରେ ବକେୟା ଅର୍ଥ ମିଳିବ ନାହିଁ ବୋଲି ସଫା ସଫା ଜଣାଇ ଦେଇଥିଲେ। ବାରମ୍ବାର ହଇରାଣ ହେବା ପରେ ହିତାଧିକାରୀ ଜଣକ ବାଧ୍ୟ ହୋଇ ଏ ସମ୍ପର୍କରେ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଦୁର୍ନୀତି ନିବାରଣ ବିଭାଗର ଏକ ସ୍ୱତନ୍ତ୍ର ଦଳ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲେ ଏବଂ ଅଭିଯୁକ୍ତ ବୈବସ୍ୱତ ମନୁ ରାଉତ ହିତାଧିକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ତାଙ୍କୁ ରଙ୍ଗେ ହାତରେ କାବୁ କରିଥିଲେ। ଚଢ଼ାଉ ସମୟରେ ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୩୦ ହଜାର ଟଙ୍କାର ଲାଞ୍ଚ ରାଶି ଜବତ କରାଯାଇଛି।



