ତିରୁପତି ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଦାନ

ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ସ୍ଥିତ ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ଭକ୍ତି ଓ ସମର୍ପଣର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଚେନ୍ନାଇର ଶିଳ୍ପପତି ତଥା ସମାଜସେବୀ ବର୍ଦ୍ଧମାନ ଜୈନ ଏବଂ ତାଙ୍କ ପତ୍ନୀ ରାଧିକା ଜୈନ ପ୍ରଭୁ ବାଲାଜୀଙ୍କ ଉଦ୍ଦେଶ୍ୟରେ ୨୦୬ କୋଟି ଟଙ୍କା ମୂଲ୍ୟର ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଏହି ଦମ୍ପତି ତିରୁମାଲା ତିରୁପତି ଦେବସ୍ଥାନମ୍‌ (TTD)ର ପୂଜକ ଓ ପ୍ରତିନିଧିମାନଙ୍କୁ ବିଧିବଦ୍ଧ ଭାବେ ଏହି ଅଳଙ୍କାର ହସ୍ତାନ୍ତର କରିଛନ୍ତି। ମନ୍ଦିର ଇତିହାସରେ ଏହାକୁ ଅନ୍ୟତମ ସର୍ବବୃହତ ଦାନ ଭାବେ ଗଣାଯାଉଛି। ଦାନ କରାଯାଇଥିବା ୪୬ଟି ସ୍ୱତନ୍ତ୍ର ଅଳଙ୍କାର ମଧ୍ୟରେ ସୁବର୍ଣ୍ଣ ମୁକୁଟ, ହାର, ବାହୁଟି, ଅଣ୍ଟାସୂତା ଓ ହୀରା ଖଚିତ ପାରମ୍ପରିକ ଆଭୂଷଣ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାତା ଦମ୍ପତିଙ୍କୁ କୃତଜ୍ଞତା ଜଣାଇବା ସହ ଏହାକୁ ଅତୁଟ ବିଶ୍ୱାସ ଓ ଭକ୍ତିର ଏକ ଅସାଧାରଣ ନିଦର୍ଶନ ବୋଲି କହିଛନ୍ତି। ଭଗବାନ ଭେଙ୍କଟେଶ୍ୱରଙ୍କୁ ୨୦୬ କୋଟି ଟଙ୍କାର ସୁନା ଅଳଙ୍କାର ଦାନ କରିବା ଏକ ବିରଳ ଘଟଣା ଏବଂ ଏହାର ସାକ୍ଷୀ ହୋଇପାରିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି ନାଇଡୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ଏକ ଦୈବୀ ପ୍ରେରଣାରେ ଅନୁପ୍ରାଣିତ ହୋଇ ଜୈନ ଦମ୍ପତି ଏହି ଦାନ କରିଛନ୍ତି। ତିରୁମାଲା ବିଶ୍ୱାସ, ଭକ୍ତି ଓ ଆଧ୍ୟାତ୍ମିକତାର ପ୍ରତୀକ। ଶ୍ରୀକୃଷ୍ଣଦେବରାୟଙ୍କ ସମୟରୁ ଆରମ୍ଭ କରି ପଲ୍ଲବ, ଚୋଳ, ଚେର, ପାଣ୍ଡ୍ୟ, ମହୀଶୂର ଓ ମରାଠା ରାଜାମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ଯୁଗର ଶାସକ ଓ ଭକ୍ତମାନେ ବହୁମୂଲ୍ୟ ଅଳଙ୍କାର ଓ ନୈବେଦ୍ୟ ଅର୍ପଣ କରି ମନ୍ଦିରକୁ ସମୃଦ୍ଧ କରିଛନ୍ତି ଏବଂ ଆଜିର ପିଢ଼ି ମଧ୍ୟ ସେହି ପରମ୍ପରାକୁ ବଜାୟ ରଖିଛି ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button