ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଭୁବନେଶ୍ୱର: ପୁରୀ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ମର୍ଯ୍ୟାଦା ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଦୀଘା ଜଗନ୍ନାଥ ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ପ୍ରତ୍ୟାହାର କରାଯାଇଛି। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏହି ପଦକ୍ଷେପ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଦୀଘାରେ ଥିବା ଜଗନ୍ନାଥ ମନ୍ଦିର ଓ ପରିସରର ନାମକରଣରେ ଏହି ପରିବର୍ତ୍ତନ ଅଣାଯାଇଛି। ଗତ ୨୩/୧୧/୨୦୨୬ ତାରିଖରେ ପଠାଇଥିବା ପତ୍ରରେ ଶ୍ରୀ ଅଧିକାରୀ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପୁରୀ ଶ୍ରୀଜଗନ୍ନାଥ ଧାମର ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଧାର୍ମିକ ଗାରିମାକୁ ଦୃଷ୍ଟିରେ ରଖି ଦୀଘା ପରିସରର ନୂଆ ନାମକରଣ କରାଯାଇଥିବା ସୂଚନା ମିଳିଛି। ଦୀଘାର ସମ୍ପୂର୍ଣ୍ଣ ମନ୍ଦିର ପରିସର ଏଣିକି ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ନାମରେ ପରିଚିତ ହେବ ଏବଂ ଏହି ପରିସର ମଧ୍ୟରେ ଅବସ୍ଥିତ ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ରଖାଯାଇଛି। ଏହି ସଂଶୋଧିତ ନାମକରଣ ଗୋଟିଏ ପଟେ ମନ୍ଦିରର ଧାର୍ମିକ ପବିତ୍ରତାକୁ ଯଥାଯଥ ଭାବେ ପ୍ରତିଫଳିତ କରୁଥିବା ବେଳେ ଅନ୍ୟପଟେ ସମଗ୍ର ପରିସରର ବ୍ୟାପକ ସାଂସ୍କୃତିକ ସ୍ୱରୂପକୁ ମଧ୍ୟ ସ୍ୱୀକୃତି ଦେଉଛି ବୋଲି ପତ୍ରରେ ଦର୍ଶାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button