ତିଖିରି ସରପଞ୍ଚ ଚମେଲି ଓଝା ମାମଲା: ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୧୫ରେ ଶୁଣାଣି

କଟକ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ଗ୍ରାମ ପଞ୍ଚାୟତକୁ ନେଇ ଲାଗି ରହିଥିବା ଆଇନଗତ ବିବାଦରେ ନୂଆ ମୋଡ଼ ଆସିଛି। ସରପଞ୍ଚ ଚମେଲି ଓଝାଙ୍କ ପଦବୀ ସମ୍ପର୍କିତ ପୂର୍ବ ରାୟକୁ ଚ୍ୟାଲେଞ୍ଜ କରି ଦାଏର ରିଟ୍ ଅପିଲ୍‌ର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଚମେଲି ଓଝା ଓ ଅନ୍ୟ ପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଗତ ଜୁନ୍ ୨୦୨୬ରେ ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ବିବାଦ, ଆକ୍ରମଣ-ପାଲଟା ଆକ୍ରମଣ ଅଭିଯୋଗ ଓ ତାଙ୍କ ଗିରଫଦାରୀ ପରେ ଚମେଲି ଓଝାଙ୍କୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ତିଖିରି ପଞ୍ଚାୟତର ୨୨ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଅକ୍ଟୋବର ୨୮ ତାରିଖରେ ହାଇକୋର୍ଟର ଏକକ ବିଚାରପତି ଖଣ୍ଡପୀଠ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଅନୁଯାୟୀ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଥିଲେ। ଆବଶ୍ୟକ ନୋଟିସ୍, ଅଧିଯାଚନା ଓ ପ୍ରସ୍ତାବ ସଠିକ୍ ଭାବେ ଦିଆଯାଇ ନଥିବା ଏବଂ ବାଧ୍ୟତାମୂଳକ ୧୫ ଦିନର ସ୍ପଷ୍ଟ ନୋଟିସ୍ ଅବଧି ପାଳନ ହୋଇ ନଥିବାରୁ କୋର୍ଟ ଏହି ରାୟ ଦେଇଥିଲେ ଓ ଚମେଲି ଓଝାଙ୍କୁ ସରପଞ୍ଚ ପଦରେ ବଜାୟ ରଖିଥିଲେ। ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ଜଣେ ୱାର୍ଡ ସଭ୍ୟ ପରବର୍ତ୍ତୀ ସମୟରେ ରିଟ୍ ଅପିଲ୍ ଦାଏର କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ଚମେଲି ଓଝା ଓ ବିପକ୍ଷମାନଙ୍କୁ ନୋଟିସ୍ ଜାରି କରିବା ସହ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଡିସେମ୍ବର ୧୫କୁ ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button