ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ଅସନ୍ତୋଷ: ସପା-କଂଗ୍ରେସକୁ ଲୋକଦଳର ଚେତାବନୀ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ୍ ଚାଲିଛି ତ? ଉତ୍ତର ପ୍ରଦେଶରେ ଆସନ ବୁଝାମଣାକୁ ନେଇ ସମାଜବାଦୀ ପାର୍ଟି (ସପା) ଓ କଂଗ୍ରେସ ମଧ୍ୟରେ ଆଲୋଚନା ଜୋର୍ ଧରିଥିବା ବେଳେ ଏବେ ସହଯୋଗୀ ଦଳ ଲୋକଦଳର ଅସନ୍ତୋଷ ସାମ୍ନାକୁ ଆସିଛି। ସପା-କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ନେଇ ଚାଲିଥିବା ଆଲୋଚନାରେ ଲୋକଦଳକୁ ସାମିଲ କରାନଯିବାକୁ ନେଇ ଦଳର ଅଧ୍ୟକ୍ଷ ଚୌଧୁରୀ ସୁନୀଲ ସିଂହ କଡ଼ା ଆପତ୍ତି ଉଠାଇଛନ୍ତି। ଏପରିକି ଏହା ମେଣ୍ଟର ଏକତା ଓ ନିର୍ବାଚନୀ ସମୀକରଣକୁ କ୍ଷତି ପହଞ୍ଚାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ସୁନୀଲ ସିଂହଙ୍କ କହିବା ଅନୁଯାୟୀ, ସପା ଓ କଂଗ୍ରେସ ମଧ୍ୟରେ ହେଉଥିବା ବୈଠକକୁ ଇଣ୍ଡିଆ ମେଣ୍ଟର ବୈଠକ ବୋଲି କୁହାଯାଇପାରିବ ନାହିଁ। ଏହା କେବଳ ଦୁଇଟି ଦଳ ମଧ୍ୟରେ ଆସନ ବଣ୍ଟନ ସମ୍ପର୍କିତ ଆଲୋଚନା। ଯଦି ମେଣ୍ଟର ସହଯୋଗୀ ଦଳକୁ ନ ଡାକି ଦୁଇ ଦଳ ନିଜ ନିଜ ମଧ୍ୟରେ ଆସନ ବାଣ୍ଟିବାକୁ ବସୁଛନ୍ତି, ତେବେ ଏହା କେଉଁ ପ୍ରକାରର ମେଣ୍ଟ ରାଜନୀତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।



