ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ଆନ୍ଧ୍ରରେ ହିଁ ଚାଲିବ ତିରୁପତି ଲଡୁ ମାମଲା

ନୂଆଦିଲ୍ଲୀ: ତିରୁପତି ମନ୍ଦିରର ଲଡୁ ପ୍ରସାଦ ଘିଅ ଅପମିଶ୍ରଣ ମାମଲାର ବିଚାର ପ୍ରକ୍ରିୟାକୁ ଆନ୍ଧ୍ର ପ୍ରଦେଶରୁ ଅନ୍ୟ କୌଣସି ପଡ଼ୋଶୀ ରାଜ୍ୟକୁ ସ୍ଥାନାନ୍ତର କରିବା ପାଇଁ ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାକୁ ଅନ୍ୟତ୍ର ଘୁଞ୍ଚାଇବା ପାଇଁ କୌଣସି ପର୍ଯ୍ୟାପ୍ତ କାରଣ ନାହିଁ। ମହାରାଷ୍ଟ୍ରର ଦୁଗ୍ଧ ଉଦ୍ୟୋଗୀ ତଥା ଆବେଦନକାରୀ ମଚ୍ଛିନ୍ଦ୍ର ଶାନ୍ତରାମ ଲଙ୍କେଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦଭେ ଯୁକ୍ତି ଦର୍ଶାଇଥିଲେ ଯେ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିରନ୍ତର ରାଜନୈତିକ ମନ୍ତବ୍ୟ ଦେଉଥିବାରୁ ସେଠାରେ ନିରପେକ୍ଷ ବିଚାର ପ୍ରକ୍ରିୟା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭାବପ୍ରବଣତା ନଥିବା କୌଣସି ପଡ଼ୋଶୀ ରାଜ୍ୟକୁ ମାମଲା ସ୍ଥାନାନ୍ତର କରାଗଲେ ନିରପେକ୍ଷ ନ୍ୟାୟ ମିଳିପାରିବ। ତେବେ ଖଣ୍ଡପୀଠ ଏହି ଯୁକ୍ତିକୁ ଗ୍ରହଣ ନକରି କହିଛନ୍ତି ଯେ ଅଦାଲତ ନିଜ ନିର୍ଦ୍ଦେଶ ମାଧ୍ୟମରେ ସମସ୍ତ ବକ୍ତବ୍ୟ ଓ ପ୍ରଭାବକୁ ନିୟନ୍ତ୍ରିତ କରିସାରିଛନ୍ତି। ଏହାସହ “ଯଦି କିଛି ଅସୁବିଧା ହୁଏ, ତେବେ ଆପଣ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ” ବୋଲି ସୂଚାଇ ଆବେଦନଟିକୁ ଖାରଜ କରିଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button