ଓଡ଼ିଶାର ବିରୋଧ ପରେ ବୁଥ୍ ଘୁଞ୍ଚାଇଲା ଆନ୍ଧ୍ର

ଭୁବନେଶ୍ବର: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଅଞ୍ଚଳରେ କଡ଼ା ସୁରକ୍ଷା ଓ ସତର୍କତା ମଧ୍ୟରେ ଆନ୍ଧ୍ର ପ୍ରଦେଶର ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ମତଦାନ ସମ୍ପାଦିତ ହୋଇଛି। ଓଡ଼ିଶାର କୋରାପୁଟ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ଏବଂ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଓ କଡ଼ା ପ୍ରତିବାଦ ପରେ ଆନ୍ଧ୍ର ପ୍ରଦେଶ କର୍ତ୍ତୃପକ୍ଷ ନିଜର ପ୍ରାରମ୍ଭିକ ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହୋଇଛନ୍ତି। ପୂର୍ବରୁ ଓଡ଼ିଶା ସୀମା ନିକଟସ୍ଥ ନରେଡ଼ିବାଲାସାଠାରେ ପୋଲିଂ ବୁଥ୍ ସ୍ଥାପନ କରିବା ପାଇଁ ଆନ୍ଧ୍ର ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ, ତାହାକୁ ପ୍ରତ୍ୟାହାର କରିନିଆଯାଇଛି। ଏହି ମତଦାନ କେନ୍ଦ୍ରଟି ଗଞ୍ଜେଇପଦର ଅଞ୍ଚଳର ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯାହାକୁ ଆନ୍ଧ୍ର ପ୍ରଦେଶର ସରକାରୀ ନଥିପତ୍ରରେ ‘ଗଞ୍ଜେଇଭଦ୍ର’ ଭାବେ ଦର୍ଶାଯାଇଛି। ଓଡ଼ିଶା ପକ୍ଷରୁ ଦୃଢ଼ ବିରୋଧ କରାଯିବା ପରେ ଆନ୍ଧ୍ର ପ୍ରଦେଶ ଅଧିକାରୀମାନେ ନରେଡ଼ିବାଲାସାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ନିଜର ସାରିକି ପଞ୍ଚାୟତରେ ନୂତନ ବୁଥ୍ ସ୍ଥାପନ କରି ନିର୍ବାଚନ କାର୍ଯ୍ୟ ପରିଚାଳନା କରିଛନ୍ତି। ଅନ୍ୟପଟେ, ଓଡ଼ିଶା ସୀମାନ୍ତ ଗ୍ରାମବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଆନ୍ଧ୍ର ପ୍ରୟାସ ଜାରି ରଖିଥିବା ବେଳେ କିଛି ଗ୍ରାମବାସୀ ଗଳାବାଟ ଦେଇ ସାରିକି ପଞ୍ଚାୟତକୁ ଯାଇ ଆନ୍ଧ୍ର ନିର୍ବାଚନରେ ଭୋଟ ଦେଇଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button