ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ଜଳ ସମ୍ପଦ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବର୍ଷାର ପୂର୍ବାନୁମାନ, ଜଳଭଣ୍ଡାରଗୁଡ଼ିକର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନ ତଥା କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ବିଶେଷକରି ସମ୍ଭାବ୍ୟ ବର୍ଷାର ପରିମାଣ ଏବଂ ନଦୀ-ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି। ବୈଠକରେ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ, କୋଲାବ, ବାଲିମେଳା, ଭଞ୍ଜନଗର, ହରଭଙ୍ଗୀ ଓ ଭାସ୍କେଲ ଭଳି ପ୍ରମୁଖ ତଥା ମଧ୍ୟମ ଜଳଭଣ୍ଡାରଗୁଡ଼ିକର ସ୍ଥିତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାତ୍ୟାଜନିତ ପ୍ରବଳ ବର୍ଷାରୁ ଆସିବାକୁ ଥିବା ଅତିରିକ୍ତ ଜଳକୁ ସଫଳତା ସହ ଧାରଣ କରିବା ପାଇଁ ଜଳଭଣ୍ଡାରଗୁଡ଼ିକୁ ସୁରକ୍ଷିତ ସ୍ତରରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ହୀରାକୁଦ ଜଳଭଣ୍ଡାରର ପରିଚାଳନା ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ନିୟମିତ ଆକଳନ କରିବା, ନିଜ ନିଜ ଅଞ୍ଚଳରେ ସତର୍କ ରହିବା ଏବଂ ଜିଲ୍ଲା ପ୍ରଶାସନ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ତୁରନ୍ତ ସୂଚନା ଆଦାନପ୍ରଦାନ କରିବାକୁ ସମ୍ପୃକ୍ତ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା, ନଦୀବନ୍ଧର ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିୟମିତ ଯାଞ୍ଚ, କ୍ଷେତ୍ରସ୍ତରୀୟ ଦଳଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଓ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱାରୋପ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button