ସମାଜସେବୀ ନମ୍ରତା ଚଢ଼ାଙ୍କୁ ’ଟାଇମ୍ସ ପାୱାର ୱେମେନ୍ ଓଡ଼ିଶା’ ସମ୍ମାନ

ଭୁବନେଶ୍ବର: ଓଡ଼ିଶାରେ ନାରୀ ସଶକ୍ତିକରଣ ଏବଂ ସେମାନଙ୍କର ଅନୁପମ ଅବଦାନକୁ ସମ୍ମାନିତ କରିବା ପାଇଁ ଦି ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଭବ୍ୟ ଆୟୋଜନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସମ୍ବିଧାନରେ ମହିଳାମାନଙ୍କ ପାଇଁ ସମାନତା ଏବଂ ସକାରାତ୍ମକ ପଦକ୍ଷେପଗୁଡ଼ିକର ବ୍ୟବସ୍ଥା କରାଯାଇଛି, ଯାହା ଆମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ମହିଳାମାନଙ୍କର ଅଗ୍ରଗତି ପାଇଁ ସହାୟକ ହୋଇଛି। ଓଡ଼ିଶାରେ ଅନେକ ପ୍ରତିଭାବାନ ମହିଳା ଅଛନ୍ତି ଯେଉଁମାନେ ନିଜର ସ୍ବପ୍ନକୁ ସାକାର କରି ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ମହିଳାମାନଙ୍କର ଅବଦାନକୁ ଲୋକଲୋଚନକୁ ଆଣିବା ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଦି ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ‘ଟାଇମ୍ସ ପାୱାର ଓ୍ୱେମେନ୍ ଓଡ଼ିଶା’ର ତୃତୀୟ ସଂସ୍କରଣ ପ୍ରାୟ ୩୦ଟି ବିଭିନ୍ନ ବର୍ଗରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମଟି ଏକ ଜାତୀୟ ସ୍ତରର ସ୍ବାଧୀନ ଗବେଷଣା ସଂସ୍ଥା ଦ୍ୱାରା କରାଯାଇଥିବା ସର୍ବେକ୍ଷଣର ଏକ ଅଂଶବିଶେଷ ଥିଲା। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ହୋଟେଲ ମେଫେୟାର ସାଞ୍ଚୁରୀଠାରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାର ସମ୍ବିଧାନ ଅନୁଯାୟୀ ମହିଳାମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ସହିତ ସେମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ଦାୟିତ୍ୱ ପ୍ରଦାନ କରିବା ଏବଂ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି।
ଏହି ପ୍ରତିଷ୍ଠିତ ମଞ୍ଚରେ ରାଜ୍ୟ ମହିଳା ଆୟୋଗ ଏବଂ କିଶୋରନ୍ୟାୟ ବୋର୍ଡର ପୂର୍ବତନ ସଦସ୍ୟ ତଥା ଓଡ଼ିଶାର ଜଣାଶୁଣା ସମାଜସେବୀ ନମ୍ରତା ଚଢ଼ାଙ୍କୁ ମହିଳା ଅଧିକାର ଓ ସାମାଜିକ ପ୍ରଚାର କ୍ଷେତ୍ରରେ ଅନୁପମ ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଏହି ସମାରୋହରେ କ୍ୟାବିନେଟ୍ ମନ୍ତ୍ରୀମାନେ, ପ୍ରଶାସକମାନେ, ବଲିଉଡ୍ ଓ ଅଲିଉଡର କଳାକାରମାନେ, ଶିଳ୍ପପତି ଏବଂ ବ୍ୟବସାୟୀ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସମେତ ପ୍ରାୟ ଦୁଇ ଶହରୁ ଅଧିକ ଲୋକ ଉପସ୍ଥିତ ଥିଲେ।



