ଥମୁନି ଷ୍ଟାର ଘରକଳି: ୫ କୋଟିର ମାନହାନୀ ମକଦ୍ଦମା କଲେ ପ୍ରକୃତି

ଭୁବନେଶ୍ୱର:ପୁଣି ଲେଉଟିଛି ବାବୁସାନ-ତୃପ୍ତି ଓ ପ୍ରକୃତି ବିବାଦ ମାମଲା । ତଦନ୍ତରେ ଶୀଥିଳତାକୁ ନେଇ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ବୁଧବାର ଭୁବନେଶ୍ୱର ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟରେ ମାନହାନି ମୋକଦମା କରିଛନ୍ତି ପ୍ରକୃତି ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ୫କୋଟି ୧୦ ହଜାର ଟଙ୍କାର ମାନହାନି ମକଦମା କରିଛନ୍ତି ପ୍ରକୃତି । ତୃପ୍ତି ଓ ଲଳିତ ଶତପଥୀ, ପ୍ରକୃତିଙ୍କୁ ରାସ୍ତା ଉପରେ ମାଡ଼ ମାରିବା ଓ ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ଏଣୁତେଣୁ କହିବା ଯାଗୁଁ ତାଙ୍କ ସମ୍ମାନ ହାନି ହୋଇଥିବାରୁ ମାନହାନି ମକଦମା କରାଯାଇଛି ବୋଲି ପ୍ରକୃତିଙ୍କ ଓକିଲ ବ୍ୟମୋକେଶ ତ୍ରିପାଠୀ କହିଛନ୍ତିି । ମାଡ଼ ମରାଯିବା ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଆଠ ଜଣଙ୍କ ସମେତ ବିଭିନ୍ନ ଖରାପ ଦିଗକୁ ଯୋଡ଼ି ୟୁଟ୍ୟୁବରେ ଭିଡିଓ ପ୍ରସାରଣ କରିଥିବା ସଂସ୍ଥାଙ୍କ ବିରୋଧରେ ମଧ୍ୟ ମାକଦ୍ଦମା କରାଯାଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ସେହିପରି ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ୟୁଟ୍ୟୁବକୁ ପକ୍ଷଭୁକ୍ତ କରାଯାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହାଛଡ଼ା ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଘରୋଇ ସମସ୍ୟା ହୋଇଥିବାରୁ ପ୍ରକୃତିଙ୍କ ବାପା ମା’ ନ୍ୟାୟ ଅପେକ୍ଷାରେ ଥିଲେ । ହେଲେ ଉଭୟ ପରିବାର ମଧ୍ୟରେ ବୁଝାମଣାରେ କୌଣସି ରାସ୍ତା ବାହାରି ପାରିଲା ନାହିଁ । ତେଣୁ ଏବେ ପ୍ରକୃତି ଏପରି ନିଷ୍ପତ୍ତି ନେଇଛନ୍ତି । ଯଦି ଦୁଇ ପକ୍ଷ ଆପୋଷ ଆଲୋଚନା କରିବେ ସମାଧାନ ହେବ । ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ତେବେ ସମାଧାନ ହେବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୨୩ ତାରିଖରେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରୁ ବାବୁସାନ୍ ଓ ପ୍ରକୃତି ଏୟାରପୋର୍ଟ ଅଭିମୁଖେ ଯାଉଥିବା ସମୟରେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ସହ ୮ ଜଣ ଯୁବକ ପ୍ରକୃତି ଓ ବାବୁସାନଙ୍କୁ ଟଣାଭିଡା କରିବା ସହ ମାଡ଼ ମାରିଥିଲେ । ସୋସିଆଲ୍ ମିଡିଆରୁ ଏହି ଖବର ଜାଣି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମା’ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଉଭୟ ପରିବାର ଏକାଠି କଥାବାର୍ତ୍ତା ହୋଇ ଏହାକୁ ସମାଧାନ ଦିଗରେ ନେବେ ବୋଲି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଏଯାବତ ତାହା ସମ୍ଭବପର ହୋଇପାରିନାହିଁ ।
ଅନ୍ୟପକ୍ଷରେ ଖାରବେଳନଗର ଥାନାରେ ଦିଆଯାଇଥିବା ଏତଲାକୁ ଆଧାର କରି ତଦନ୍ତରେ ବିଶେଷ ଅଗ୍ରଗତି ହୋଇନଥିବା ଦର୍ଶାଇ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି । ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଇବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button