ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍: ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଟ୍ରକ୍ ଧକ୍କାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଥମୁନି ‘ହିଟ୍ ଆଣ୍ଡ୍ ରନ୍’ର କରାଳ ରୂପ। ଶାସ୍ତ୍ରୀନଗରର ଭୟଙ୍କର ଦୁର୍ଘଟଣା ମନରୁ ନଲିଭୁଣୁ ପୁଣି ଏକ ଛାତିଥରା ଦୁର୍ଘଟଣାରେ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଛି। ୧୬ ନମ୍ବର ଜାତୀୟ ରାଜପଥ ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଏକ ଅଜ୍ଞାତ ଟ୍ରକ୍ ଧକ୍କାରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକଦ୍ୱୟ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ତୋ ପାଟଣା ଗ୍ରାମର ରଶ୍ମୀରଞ୍ଜନ ଦାସ (୩୦) ଏବଂ ବାଲେଶ୍ଵର ରେମୁଣା ଅଞ୍ଚଳର ବିଶ୍ୱରଞ୍ଜନ ପଟ୍ଟନାୟକ (୨୭)। ରଶ୍ମୀରଞ୍ଜନ ପରିବାର ସହ ଭୁବନେଶ୍ୱର ପାତ୍ରପଡ଼ାରେ ରହୁଥିଲେ। ଏହି ଘଟଣାକୁ ନେଇ ଆଜି (ବୁଧବାର) ରଶ୍ମୀରଞ୍ଜନଙ୍କ ବାପା ସୁଦର୍ଶନ ଦାସ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇ ଫେରାର୍ ଥିବା ଗାଡ଼ିର ସନ୍ଧାନ ଚଳାଇଛି।



