ପ୍ରଥମ ମହିଳା ନେତ୍ରୀ-ସରଳା ଦେବୀ

‘ନାରୀ ଜାଗିଲେ ପରିବାର ଜାଗିବ । ପରିବାର ଜାଗିଲେ ଦେଶ ଜାଗିବ ।’ ଏହି ନାରା ଦେଇଥିଲେ ପ୍ରଥମ ମହିଳା ନେତ୍ରୀ-ସରଳା ଦେବୀ । ସିପାହୀ ବିଦ୍ରୋହଠାରୁ ଆରମ୍ଭ କରି ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ଯେଉଁ ବିପ୍ଳବୀମାନେ ଅଭୂତପୂର୍ବ ଆତ୍ମୋତ୍ସର୍ଗ ଓ ଦେଶପ୍ରେମର ବିରଳ ଉଦାହରଣ ସୃଷ୍ଟି କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସରଳା ଦେବୀ । ୧୯୦୪ ମସିହା ଆଜିର ଦିନରେ ଅବିଭକ୍ତ କଟକ ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅନ୍ତର୍ଗତ ନରିଲୋ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ପ୍ରଥମ ମହିଳା ରାଜ ବନ୍ଦିନୀ, ଅଖିଳ ଭାରତ କଂଗ୍ରେସ କମିଟିର ପ୍ରଥମ ଓଡ଼ିଆ ସଦସ୍ୟା, ଅଖିଳ ଭାରତୀୟ କଂଗ୍ରେସ ମହିଳା ଷ୍ଟାଣ୍ଡିଂ କମିଟିର ପ୍ରଥମ ନିର୍ବାଚିତ ପ୍ରତିନିଧି, ସର୍ବ ଭାରତୀୟ ସ୍ତରରେ ସମବାୟ ବ୍ୟାଙ୍କ୍ ଡିରେକ୍ଟର ପଦବୀରେ ଅବସ୍ଥାପିତ, ଗାନ୍ଧିଜୀଙ୍କ ଦ୍ୱାରା ନିର୍ବାଚିତ ଓଡ଼ିଶାର ପ୍ରଥମ ସତ୍ୟାଗ୍ରହୀ ଭାବରେ ତାଙ୍କର ରହିଛି ଏକ ଭିନ୍ନ ପରିଚୟ ।
ତାଙ୍କର ନେତୃତ୍ୱରେ ପ୍ରେରିତ ହୋଇ ମହିଳାମାନେ ସେ ସମୟର ସାମାଜିକ ଲକ୍ଷ୍ମଣରେଖାକୁ ଅତିକ୍ରମ କରି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ନିଜ ଉଦ୍ୟମରେ ସରଳା ଦେବୀ ପ୍ରଚୁର ପଢ଼ାପଢ଼ି କରି ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷାକୁ ଆୟତ୍ତ କରିଥିବାର ଅନେକ ଦୃଷ୍ଟାନ୍ତ ରହିଛି । ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ରଚନାଗୁଡ଼ିକୁ ଦେଖିଲେ ତାଙ୍କ ଜ୍ଞାନର ଗଭୀରତାକୁ ସହଜରେ ମାପି ହେବ । ୧୯୧୯ରେ ହୋଇଥିବା ଜାଲିଆନାୱାଲାବାଗ୍ ନରସଂହାର, ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଓ ସତ୍ୟାଗ୍ରହ ତାଙ୍କ ମନରେ ସୃଷ୍ଟି କରିଥିଲା ଗଭୀର ଆଲୋଡ଼ନ । ତେବେ ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ଥିଲା ଗାନ୍ଧିଜୀ ଓଡ଼ିଶାକୁ ଆସିଥିବା ବେଳେ ସରଳା ଦେବୀ ଗାନ୍ଧିଜୀଙ୍କ ଭାଷଣକୁ ଓଡ଼ିଆରେ ଭାଷାନ୍ତର କରି ଉପସ୍ଥିତ ଜନତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ୧୯୩୦ରେ ହୋଇଥିବା ଲବଣ ସତ୍ୟାଗ୍ରହରେ ତାଙ୍କର ଅବଦାନ ଥିଲା ଅତୁଳନୀୟ । ଓଡ଼ିଶାର ନାରୀମୁକ୍ତି ଆନ୍ଦୋଳନର ଇତିହାସ ତାଙ୍କ ବିନା ଲେଖିବା ଅସମ୍ଭବ ବୋଲି କୁହାଯିବ । ୪ ଅକ୍ଟୋବର, ୧୯୮୬ ମସିହା ଆଜିର ଦିନରେ ଏହି ଜନନେତ୍ରୀଙ୍କର ତିରୋଭାବ ହୋଇଥିଲା ।